ଲକ୍ଷ୍ନୌ, ୧୯।୧ : ଉତ୍ତରପ୍ରଦେଶରେ ସଂସ୍କୃତ ଭାଷା ପ୍ରତି ବୈମାତୃକ ମନୋଭାବ ରଖାଯାଉଛି। ତେଣୁ ରାଜ୍ୟରେ ସଂସ୍କୃତ ଶିକ୍ଷକଙ୍କୁ ନିୟମିତ କରାଯାଉ ନାହିଁ। ସେହିପରି କଲେଜରେ କୌଣସି ସ୍ବୀକୃତିପ୍ରାପ୍ତ ପଦବୀ ମଧ୍ୟ ନାହିଁ। ହିନ୍ଦୀ ଶିକ୍ଷକଙ୍କୁ ସଂସ୍କୃତ ପଢ଼ାଇବାକୁ କୁହାଯାଉଥିବା ନେଇ ଉତ୍ତରପ୍ରଦେଶ ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି। ଏଭଳି ସ୍ଥିତି ସ୍କୁଲ୍, ଇଣ୍ଟରମିଡ଼ିଏଟ୍ ଏବଂ ଗ୍ରାଜୁଏଟ୍ କ୍ଷେତ୍ରରେ ଜାରି ରହିଛି।
ଏକ ମାମଲାର ବିଚାର କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ବିଚାରପତି ରୋହିତ ରଞ୍ଜନ ଅଗ୍ରଓ୍ବାଲଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱାରୋପ କରିଛନ୍ତି।