ଶିମିଳିପାଳ ଘଟଣା ପରେ ପାଟ୍ରୋଲିଂ ବନ୍ଦ: ଚିନ୍ତାରେ ବନ ବିଭାଗ

ଭୁବନେଶ୍ୱର,୧୯।୬(ଅସମାପିକା ସାହୁ): ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ଏକ ମାସ ମଧ୍ୟରେ ୨ ଜଣ ବନ କର୍ମଚାରୀଙ୍କ ହତ୍ୟାକୁ ନେଇ ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଛି। ଜଙ୍ଗଲକୁ ସୁରକ୍ଷା ଦେବାକୁଯାଇ କର୍ତ୍ତବ୍ୟରତ ଜଣେ ଫରେଷ୍ଟଗାର୍ଡ ଏବଂ ଜଣେ ଡେପୁଟି ରେଞ୍ଜର ଶିକାରୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି। ତେବେ ଏହି ଘଟଣାକୁ ଅଣ ଗେଜେଟେଡ ବନ ସେବା ସଙ୍ଘ ଗୁରୁତର ସହିତ ନେଇଛି । ଏ ନେଇ ସୋମବାର ରାଜ୍ୟର ୮,୧୮୮ଜଣ ଫରେଷ୍ଟ ଗାର୍ଡ, ଫରେଷ୍ଟର ଓ ଡେପୁଟି ରେଞ୍ଜର ଜଙ୍ଗଲରେ ଶୀକାର ରୋକିବା ପାଇଁ ପାଟ୍ରୋଲିଂ ବନ୍ଦ କରିଛନ୍ତି। ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ସଂଘର ଜରୁରୀ ବୈଠକ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି।
ଶିକାରୀଙ୍କ ପାଖରେ ବନ୍ଧୁକ ଓ ଧନୁତୀର ଥିବାବେଳେ ବନ କର୍ମଚାରୀ ନିରସ୍ତ୍ର ରହୁଥିବାରୁ ସେମାନଙ୍କୁ ମୁକାବିଲା କରିବା ସେମାନଙ୍କ ପକ୍ଷେ ସମ୍ଭବପର  ହେଉନାହିଁ।  ଏହି ସମ୍ବେଦନଶୀଳ ଘଟଣାର ଗୁରୁତ୍ୱ ଉପଲବ୍ଧି କରି ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବଙ୍କ ପକ୍ଷରୁ ସୋମବାର ସନ୍ଧ୍ୟାରେ ୬ଟାରେ ହେବାକୁ ଥିବା ବୈଠକରେ ଅଣ ଗେଜେଟେଡ ବନ ସେବା ସଂଘର କର୍ମକର୍ତ୍ତାଙ୍କୁ ଯୋଗ ଦେବାକୁ କୁହାଯାଇଛି। ଲୋକସେବା ଭବନରେ ହେବାକୁ ଥିବା ଏହି ବୈଠକରେ ଜଙ୍ଗଲ ବିଭାଗ ସଚିବ, ପିସିସିଏଫ୍‌ ଏବଂ ଅଣ ଗେଜେଟେଡ ବନ ସେବା ସଂଘର କର୍ମକର୍ତ୍ତା ଯୋଗ ଦେବାନେଇ ସୂଚନା ରହିଛି।
Share