ପଟ୍ଟାମୁଣ୍ଡାଇ, ୧୨ା୧୧(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ ସବ୍ଡିଭିଜନ ଅଧୀନରେ ଥିବା ରାସ୍ତାଗୁଡିକର ନିର୍ମାଣ ଓ ମରାମତି ପାଇଁ ଅର୍ଥ ଖର୍ଚ୍ଚ ହେଉଛି। କିନ୍ତୁ ପଟ୍ଟାମୁଣ୍ଡାଇ ବଜାର ରାସ୍ତା ବାଇପାସଠାରୁ ଡାକବଙ୍ଗଳା ପର୍ଯ୍ୟନ୍ତ ଫୁଟ୍ପାଥ ରାସ୍ତା ମରଣଯନ୍ତା ପାଲଟିଛି। ଏହି ରାସ୍ତାକୁ ପୁନଃ ନିର୍ମାଣ ପାଇଁ କଂଗ୍ରେସ ନଗର ସଭାପତି ଅମୂଲ୍ୟ ପ୍ରଧାନ ଦାବି କରିଛନ୍ତି। ସେ କହିଛନ୍ତି ପଟ୍ଟାମୁଣ୍ଡାଇ ନୂଆ ବାଇପାସ୍ ଛକଠାରୁ ଡାକବଙ୍ଗଳା (ମେଡିକାଲ) ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ସହ ଉଭୟପାର୍ଶ୍ୱରେ ଫେବର ବ୍ରିକ୍ସ ବିଛା କାର୍ଯ୍ୟ ମାତ୍ର ୬ ମାସ ତଳେ ସରିଥିଲା। ଏବେ ସେଗୁଡିକ ଦବିଯିବା ସହ ଅନେକ ସ୍ଥାନରେ ଭାଙ୍ଗିରୁଜି ଯାଇଛି। ଖାଲି ସେତିକି ନୁହେଁ ଫେବର ବ୍ରିକ୍ସଗୁଡିକୁ ଧରି ରଖିବାକୁ ଦୁଇପାର୍ଶ୍ୱରେ ନିର୍ମାଣ କରାଯାଇଥିବା ପ୍ରୋଟେକଶନ ଓ୍ବାଲ ବହୁ ସ୍ଥାନରେ ଦବି ଯିବା ସହ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ରାସ୍ତାପାର୍ଶ୍ୱରେ ବିଛା ଯାଇଥିବା ଫେବର ବ୍ରିକ୍ସଗୁଡିକ ଢଳେଇ କଂକ୍ରିଟ ରାସ୍ତାଠାରୁ ନିମ୍ନରେ ଥିବାରୁ ସେଥିରେ ପାଣି ଜମି ରହୁଛି। ଫଳରେ ରାସ୍ତାର ଉଭୟପାର୍ଶ୍ୱରେ ଥିବା ବ୍ୟବସାୟ ପ୍ରତିଷ୍ଠାନଗୁଡିକୁ ଲୋକମାନେ ଯିବାଆସିବା ପାଇଁ ଅସୁବିଧାରେ ପଡୁଛନ୍ତି। ଏହି ରାସ୍ତାରେ ହୋଇଥିବା ବ୍ୟାପକ ଅନିୟମିତତାର ତଦନ୍ତ କରାଯିବାକୁ ସେ ଦାବି କରିଛନ୍ତି। ପ୍ରକାଶଥାଉ କି ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ରାସ୍ତାର ମରାମତି ପାଇଁ ୫ ବର୍ଷ ସମୟ ଥିବା ବେଳେ ଏହା କରାଯାଉନାହଁି। ଫଳରେ ଅଧିକରୁ ଅଧିକ ଖରାପ ହେବାକୁ ବସିଛି। ଏ ସମ୍ପର୍କରେ କିନିଷ୍ଠ ଯନ୍ତ୍ରୀ ଅଶୋକ ଜେନାଙ୍କୁ ପଚାରିବାରେ ଏହି ଫୁଟ୍ପାଥ ରାସ୍ତାର ଗ୍ୟାରେଣ୍ଟି ଅଛି ଏହାର କାମ କରାଯିବ ବୋଲି ସେ କହିଛନ୍ତି।