ପଦ୍ମପୁର,୨୩ା୯(ଡି.ଏନ.ଏ.): ଲଗାଣ ବର୍ଷାରେ ଭଦ୍ରକ ସଦର ବ୍ଲକ ଦେଇ ବହି ଯାଇଥିବା ଧନନ୍ତ୍ୱରୀ, ସାଳନ୍ଦୀ, ଧଳା, କଞ୍ଚୁଡ଼ି, ମନ୍ତେଇ ଆଦି ବିଭିନ୍ନ ନଦୀରେ ବର୍ଷାଜଳ ପ୍ରବାହିତ ହୋଇଥିଲା। ବର୍ଷାପାଣି ମାଡ଼ି ଆସି ଶତାଧିକ ହେକ୍ଟର ଚାଷଜମି ଉପରେ ଜମି ରହିଥିଲା। ସଦର ବ୍ଲକର ସାବରଙ୍ଗ ପଞ୍ଚାୟତ ସାହାଡ଼ା, ହରିପୁର, ଧର୍ମସରଣବିନ୍ଧା, ପଦ୍ମପୁର ପଞ୍ଚାୟତର ସର୍ତ୍ତରପୁର, ସାନଅଗାପୁର, ବଡ଼ଅଗାପୁର, ସୁଗୋ ପଞ୍ଚାୟତର କାଞ୍ଜିଖିଆ, କୁସୁନବିନ୍ଧା, କଲ୍ୟାଣପୁର, ଏଡ଼ତାଳ ପଞ୍ଚାୟତର ଏଡ଼ତାଳ, ଲୁଙ୍ଗା ପଞ୍ଚାୟତର ବଡ଼କିଆରୀ, ମୌଜୁଡ଼ି, ଜଗନ୍ନାଥପ୍ରସାଦ ପଞ୍ଚାୟତର ଦଧିବାମନପୁର, ବନ୍ଧସାହି, ସୁନାଭୁଇଁ, ଡାଙ୍ଗମାଳ, ପାଟସାହି ଓ ପାଳ, ବାଲିମେଦ ପଞ୍ଚାୟତର ଖସରବେଡ଼ି, ଆନ୍ଦୋଳା ପଞ୍ଚାୟତର କିଛି ଗ୍ରାମର ଚାଷଜମିରେ ବନ୍ୟାଜଳ ମାଡ଼ି ଯାଇଥିଲା। ଏବେ ଧିରେ ଧିରେ ବର୍ଷା କମିବା ଫଳରେ ବନ୍ୟାଜଳ କମିବାରେ ଲାଗିଛି। କିନ୍ତୁ ବନ୍ୟାର ପଟୁ ପାଣି ଧାନ ଫସଲ ଉପରେ ମାଡ଼ି ଯାଇ ଗଛ ପଚିଯିବା ସହ କଳା ପଡ଼ିଯାଇଛି। ପୁଣି ବର୍ଷା ହେଲେ ଚାଷଜମି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି।