କେନ୍ଦୁଝର,୧୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌରପାଳିକା ୧୧ ନଂ. ୱାର୍ଡରେ ଏକ ରାସ୍ତା ନିର୍ମାଣକୁ ନେଇ ବିବାଦ ଦେଖାଦେଇଛି। ସରକାରୀ କଲୋନୀ ମଝିରେ ଘରୋଇ ଲୋକଙ୍କ ଜମିକୁ କଂକ୍ରିଟ ରାସ୍ତା ନିର୍ମାଣ ହେଉଥିବାରୁ ଅସନ୍ତୋଷ ଦେଖାଦେଇଛି। ରାସ୍ତାଟି ଆଇଟିଡିଏ ପକ୍ଷରୁ ସାଂସଦ ପାଣ୍ଠିରୁ ନିର୍ମାଣ ହେଉଥିଲେ ହେଁ ସୂଚନା ଫଳକ ନ ଥିବାରୁ କାମ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିନାହିଁ।
ଅନୁଯାୟୀ, ରାସ୍ତାଟି କୁଲାଡ଼େରା ମୌଜାର ସରକାରୀ ଓ ଘରୋଇ ଜମି ଉପରେ ନିର୍ମାଣ ହେଉଛି। କଲୋନୀ ପରିସରରେ ଥିବା ଉକ୍ତ ରାସ୍ତାର ଓସାର ମାତ୍ର ୧୨ ଫୁଟ ରହିଛି। ତେଣୁ ଏହା ଦେଇ ଘରୋଇ ଲୋକଙ୍କ ଯାତାୟାତ ହେଲେ ଆଗାମୀ ଦିନରେ ଟ୍ରାଫିକ ସମସ୍ୟା ସୃଷ୍ଟି କରିବ ଯାହାକୁ ନେଇ କଲୋନୀବାସୀ ଚିନ୍ତାବ୍ୟକ୍ତ କରିଛନ୍ତି। ରାସ୍ତା ସଂଯୋଗ ହେଲେ ଉକ୍ତ କଲୋନୀ ପଛରେ ଥିବା ଏକର ଏକର ଜମିକୁ ରାସ୍ତା ଫିଟିଯିବ ଏବଂ ଜମିକୁ ପ୍ଲଟିଂ କରି ବିକ୍ରି କରାଯିବ। ଏହି ଲୋଭରେ କେତେକ ଜମି ଦଲାଲ ଏଭଳି କାମ କରୁଥିବା କଲୋନୀବାସୀ ନାମ କୋପନ ରଖି କହିଛନ୍ତି। ବର୍ତ୍ତମାନ ପ୍ଲାନ୍ ଅନୁଯାୟୀ ୨୦ ଫୁଟ ରାସ୍ତା ନ ହେଲେ କୌଣସି ଘରବାଡ଼ି କିସମ ପରିବର୍ତ୍ତନ ହେଉନାହିଁ ଏବଂ ବିଲ୍ଡିଂ ପ୍ଲାନ ଅନୁମୋଦନ ହେଉନାହିଁ। ଏ କ୍ଷେତ୍ରରେ କିଭଳି ୧୨ ଫୁଟ୍ରେ କଂକ୍ରିଟ ରାସ୍ତା ଆଇଟିଡିଏ ପକ୍ଷରୁ ନିର୍ମାଣ ହେଉଛି। ଏଥି ପାଇଁ ସାଂସଦ ପାଣ୍ଠିରୁ ବି ଖର୍ଚ୍ଚ ହେଉଛି, ତାହା ତଦନ୍ତ ସାପେକ୍ଷ ବୋଲି କହିଛନ୍ତି। ଏ ସମ୍ପର୍କରେ ଆଇଟିଡିଏ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ରବିନ୍ଦ୍ର ନାଥ ନାୟକ କହିଛନ୍ତି, ୨ ଲକ୍ଷ ଟଙ୍କା ଖର୍ଚ୍ଚରେ କାମ ହେଉଛି। ତେବେ ସେ ନୂଆ ଆସିଥିବାରୁ ଅଧିକ କିଛି ଜାଣିନାହାନ୍ତି। ଅଭିଯୋଗର ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଛନ୍ତି।