ନୂଆଦିଲ୍ଲୀ,୧୪।୬: ଏକ ସମୟରେ ଆନ୍ଧ୍ରପ୍ରଦେଶ ରାଜନୀତିରେ ପଓ୍ବନ କଲ୍ୟାଣଙ୍କ ଦବ୍ଦବା ପ୍ରାୟ ଶୂନ ଭଳି ରହିଥିଲା। ତାଙ୍କର ଜନ ସେନା ପାର୍ଟିର ପରିଚୟ ବି ସେତେଟା ନ ଥିଲା। ହେଲେ ଏବେ ସମୟ ବଦଳିଛି। ୨୦୨୪ ନିର୍ବାଚନରେ ତାଙ୍କ ‘ଜେଏସ୍ପି’ ଦଳ ଜବରଦସ୍ତ ପ୍ରଦର୍ଶନ କରିଛି, ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ପବନ ନୁହନ୍ତି ବରଂ ଝଡ଼ ବୋଲି କହିଛନ୍ତି। ତେବେ ୨୦୨୨ରେ ଏକ ଜନସଭାକୁ ସମ୍ବୋଧନ କରିବା ସମୟରେ ସେ ଚପଲ ଉଠାଇ ଧମକ ଦେଇ ଚର୍ଚ୍ଚାକୁ ଆସିଥିଲେ। ଜଗନମୋହନ ରେଡ୍ଡିଙ୍କ ଦଳର ନେତା ତାଙ୍କୁ ‘ପ୍ୟାକେଜ୍ ଷ୍ଟାର’ କହୁଥିଲେ। ଏଣୁ ସେ ଆଉ ଥରେ ଏଭଳି କହିଲେ ଚପଲରେ ପିଟିବେ ବୋଲି କହିଥିଲେ। ଆସନ୍ତୁ ଏହି ନେତାଙ୍କ ବିଷୟରେ ଅଧିକ ଜାଣିବା।
୧୯୬୮ରେ ଜନ୍ମିତ ପଓ୍ବନ କଲ୍ୟାଣ ମାତ୍ର ୧୦ମ ଯାଏ ପଢ଼ିଛନ୍ତି। ସେ ୩ ଭାଇଙ୍କ ମଧ୍ୟରେ ସାନ। ତାଙ୍କ ଅସଲ ନାମ କୋନିଡେଲା କଲ୍ୟାଣ ବାବୁ। ମାର୍ଶଲ ଆର୍ଟରେ ସେ ବ୍ଲାକ୍ ବେଲ୍ଟ ପାଇଛନ୍ତି। ଏଥିରୁ ହିଁ ତାଙ୍କୁ ଏକ ଟାଇଟଲ୍ ‘ପଓ୍ବନ’ ମିଳିଛି। ସେହିଦିନଠାରୁ ସେ ପଓ୍ବନ କଲ୍ୟାଣ ଭାବେ ଖ୍ୟାତ ହୋଇଛନ୍ତି। ଦିନ ଥିଲା ସେ ନିଜର ଡିପ୍ରେଶନ ଏବଂ ଆତ୍ମହତ୍ୟା ବିଷୟରେ କହିଥିଲେ। ଆସ୍ଥମାରେ ପୀଡ଼ିତ ରହୁଥିବା ଯୋଗୁ ତାଙ୍କୁ ବାରମ୍ବାର ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ୁଥିଲା। ଏଣୁ ସେ କାହା ସହ ବେଶୀ ମିଶିବାକୁ ସୁଯୋଗ ପାଉ ନ ଥିଲେ। ଏକାକୀପଣ ତାଙ୍କୁ କାବୁ କରିନେଉଥିଲା। ୧୭ ବର୍ଷ ବୟସରେ ପାଠପଢ଼ା ଏବଂ ପରୀକ୍ଷାର ଚିନ୍ତା ମୁଣ୍ଡରେ ପଶିଥିଲା। ଏହାକୁ ନେଇ ସେ ତାଙ୍କ ବଡ଼ ଭାଇଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ନିଜକୁ ଗୁଳି ଚଳାଇ ଆତ୍ମହତ୍ୟା କରିବାର ଯୋଜନା କରିଥିଲେ। ହେଲେ ଧିରେ ଧିରେ ସେ ନିଜକୁ ଖାପ ଖୁଆଇବା ଆରମ୍ଭ କରିଥିଲେ। ମାର୍ଶଲ ଆର୍ଟ ଶିଖିଥିଲେ। ଗୀତ ଶିଖିଥିଲେ। ଏସବୁ ତାଙ୍କୁ ଡିପ୍ରେଶନରୁ ବାହାରିବାରେ ସହାୟକ ହୋଇଥିଲା।
୧୯୯୬ରେ ‘ଅକ୍କଡା ଅମ୍ମାଇ ଇକ୍କଡା ଅବ୍ବାଇ’ ନାମକ ଫିଲ୍ମରୁ ସେ ଡେବ୍ୟୁ କରିଥିଲେ। ୧୯୯୯ରେ ଆସିଥିଲା ‘ଟୋଲି ପ୍ରେମା’ ତାଙ୍କୁ ପରିଚିତ କରାଇଥିଲା। ୨୦୦୨ରେ ‘ଖୁସି’ ଫିଲ୍ମ ପରଠାରୁ ସେ ବକ୍ସଅଫିସରେ ହିଟ୍ ଫିଲ୍ମ ଦେଇ ଆସୁଛନ୍ତି। ମେଗା ଷ୍ଟାର ଚିରଞ୍ଜିବୀଙ୍କ ଭାଇ ହୋଇଥିବାରୁ ତାଙ୍କୁ ଅନେକ ଲାଭ ମଧ୍ୟ ମିଳିଥିଲା।
୨୦୦୮ରେ ଚିରଞ୍ଜିବୀ ରାଜନୀତିକୁ ଆସିଥିଲେ। ସେ ପ୍ରଜା ରାଜ୍ୟମ ପାର୍ଟି କରିଥିଲେ। ଏହାର ୟୁଇ୍ ଓ୍ବିଙ୍ଗ ଯୁବରାଜ୍ୟମର ଅଧ୍ୟକ୍ଷ ଭାଇ ପଓ୍ବନ କଲ୍ୟାଣଙ୍କୁ କରିଥିଲେ। ହେଲେ ସେତେବେଳେ ପଓ୍ବନ କେବଳ ପ୍ରଚାର କରୁଥିଲେ। ୨୦୧୧ରେ ଚିରଞ୍ଜିବୀ କଂଗ୍ରେସରେ ଦଳକୁ ବିଲୟ କରିଥିଲେ। ଏହାକୁ ପସନ୍ଦ କରି ନ ଥିଲେ ପଓ୍ବନ କଲ୍ୟାଣ। କିଛି ଦିନ ପରେ ସେ ରାଜନୀତି ଛାଡ଼ି ଦେଇଥିଲେ।
ମୃଦୁ ପାନୀୟ ବିଜ୍ଞାପନ ଛାଡ଼ି ଦେଇ ସେ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ। କମ୍ପାନୀ ତାଙ୍କୁ ଶାହାରୁଖ ଖାନଙ୍କଠାରୁ ଅଧିକ ଟଙ୍କା ଯାଚିଥିଲେ ହେଁ ଲୋକଙ୍କ ସ୍ବାସ୍ଥ୍ୟପ୍ରତି ଠିକ୍ ନ ଥିବା ଦର୍ଶାାଇ ‘ମୋ ପାଇଁ ଟଙ୍କାଠାରୁ ମୋ ବିଶ୍ୱାସ’ ବଡ଼ ବୋଲି ରୋକଠୋକ୍ ଶୁଣାଇ ଦେଇଥିଲେ।
ବ୍ୟକ୍ତିଗତ ଜୀବନ ଦେଖିଲେ ପଓ୍ବନ କଲ୍ୟାଣ ୩ ବିବାହ କରିଛନ୍ତି। ପ୍ରଥମେ ସେ ନନ୍ଦିନୀଙ୍କୁ ବିବାହ କରିଥିଲେ। ହେଲେ ୨୦୦୧ରେ ଦୁହିଁଙ୍କ ବାଟ ଅଲଗା ହୋଇଥିଲା। ଏହାପରେ ପଓ୍ବନ କୋ ଷ୍ଟାର ରେଣୁ ଦେଶାଇଙ୍କ ସହ ଲିଭ୍ ଇନ୍ରେ ରହିଥିଲେ। ଏହି ସମୟରେ ନନ୍ଦିନୀ ତାଙ୍କ ଉପରେ ଦୁଇଟି ବିବାହ କରିଥିବା ଅଭିଯୋଗ କରି ମାମଲା କରିଥିଲେ। ୨୦୦୮ରେ ବିଧିବଦ୍ଧ ଛାଡ଼ପତ୍ର ହୋଇଥିଲା। ୮ ବର୍ଷ ଧରି ଲିଭ୍ ଇନ୍ରେ ରହିବା ପରେ ସେ ରେଣୁଙ୍କୁ ବିବାହ କରିଥିଲେ। ୨୦୧୦ରେ ତାଙ୍କ ଝିଅ ଜନ୍ମ ହୋଇଥିଲା। ଏହାର ୨ ବର୍ଷ ପରେ ସେମାନେ ଅଲଗା ହୋଇଯାଇଥିଲେ।
୨୦୨୪ ନିର୍ବାଚନ ସମୟରେ ତାଙ୍କ ତୃତୀୟ ପତ୍ନୀ ଏନ୍ନା ଲେଜନେବା ଚର୍ଚ୍ଚାକୁ ଆସିଥିଲେ। ପଓ୍ବନ ତାଙ୍କୁ ୨୦୧୩ରେ ବିବାହ କରିଥିଲେ। ରୁଷୀୟ ମଡେଲ ଏନ୍ନା ଅଭିନେତାଙ୍କ ସହ ଫିଲ୍ମ ‘ତିନ ମାର୍’ରେ କାମ କରିଥିଲେ। ଏଠାରୁ ପ୍ରେମରେ ପଡ଼ିବା ପରେ ଦୁହେଁ ବିବାହ କରିଥିଲେ। ଉଭୟଙ୍କ ଏକ ପୁଅ ଏବଂ ଏକ ଝିଅ ଅଛି।
ପରିବାରକୁ କିଛି ଦିନ ସମର୍ଥନ ଦେବା ପରେ ରାଜନୀତିକୁ ଫେରିଥିଲେ ପଓ୍ବନ କଲ୍ୟାଣ। ୨୦୧୪ ନିର୍ବାଚନରେ ନିଜ ଦଳ କରିଥିଲେ। ସେ ଭାଜପା ପ୍ରାର୍ଥୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ସେତେବେଳେ ଭାଇ ଚିରଞ୍ଜିବୀ କଂଗ୍ରେସକୁ ସମର୍ଥନ ଦେଉତିଲେ। ଏମିତିରେ ସେ ତାଙ୍କ ଭାଇଙ୍କ ବିରୋଧରେ ଚାଲିଯାଇଥିଲେ। ଏହାପରେ ଆନ୍ଧ୍ରପ୍ରଦେଶରେ ଟିଡିବି ଏବଂ ଭାଜପା ମେଣ୍ଟ ପାଇଁ ପ୍ରଚାର କରିଥିଲେ। ହେଲେ କିଛି ବର୍ଷ ପରେ ସେ ଟିଡିପି ସରକାର ବିରୋଧରେ ଧାରଣା ଦେଇଥିଲେ। ୨୦୧୯ରେ ସମସ୍ତ ଆସନରେ ପ୍ରାର୍ଥୀ ରଖିଥିଲେ। ହେଲେ ଗୋଟିଏରେ ବିଜେତା ହୋଇଥିଲେ। ନିଜେ ଦୁଇ ଦୁଇଟି ଆସନରୁ ପରାଜିତ ହୋଇଥିଲେ।
ହେଲେ ୨୦୨୪ ନିର୍ବାଚନରେ ସବୁକିଛି ବଦଳି ଯାଇଥିଲା। ଆନ୍ଧ୍ର ରାଜନୀତିରେ ୩ ଜାତିଙ୍କ ଦବ୍ଦବା ରହିଛି। ରେଡ୍ଡି, କପୁ, କମ୍ମା। ପ୍ରଥମରେ ରେଡ୍ଡିଙ୍କ ହାତରେ ଶାସନ ରହିଥିଲା। ପରେ କମ୍ମା ସମୁଦାୟ ହାତକୁ ଯାଇଥିଲା। ଚିରଞ୍ଜିବି କମ୍ମା ସମୁଦାୟଙ୍କ ହୃଦୟ ଜିତିବାକୁ ଚେଷ୍ଟା କରିଥିଲେ। ହେଲେ ପାରି ନ ଥିଲେ। ଶେଷରେ ପଓ୍ବନ କଲ୍ୟାଣ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ସହ ହାତ ମିଶାଇଥିଲେ। ନାଇଡୁ କମ୍ମା ଏବଂ ପଓ୍ବନ କପୁ । ଏଣୁ ଉଭୟ ଜାତିର ଭୋଟର୍ ଏକାଠି ଆସିଥିଲେ। ଆନ୍ଧ୍ରପ୍ରଦେଶରେ ଟିଡିପି-ଭାଜପା-ଜେଏସ୍ପିର ଏନ୍ଡିଏ ମେଣ୍ଟ ସରକାର ହୋଇଛି। ପଓ୍ବନ କଲ୍ୟାଣଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ମିଳିଛି।