ମୁମ୍ବାଇ,୮।୧୦ : ମହାରାଷ୍ଟ୍ରରେ ଅସଲି ଶିବସେନା ନେଇ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉଦ୍ଧବ ଠାକ୍ରେଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ଏପରି ସ୍ଥଳେ ଏନସିପି ଅଧ୍ୟକ୍ଷ ଶରଦ ପାଓ୍ବାର ସଂଖ୍ୟାଲଘୁ କାର୍ଡ ଖେଳିବା ଆରମ୍ଭ କରିଛନ୍ତି।
ସେ ବିଦର୍ଭରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ, ଉର୍ଦ୍ଦୁଭାଷା ଏବଂ ସଂଖ୍ୟାଲଘୁମାନେ ଦେଶର ସମସ୍ତ କ୍ଷେତ୍ରରେ ନିଜର ଯୋଗଦାନ ଜାରି ରଖିଛନ୍ତି। କଳା, କବିତା, ରଚନା କ୍ଷେତ୍ରରେ ସଂଖ୍ୟାଲଘୁଙ୍କ ଯୋଗଦାନ ଅଧିକ ରହିଛି। ବଲିଉଡକୁ ଶୀର୍ଷକୁ ନେବାରେ ସଂଖ୍ୟାଲଘୁଙ୍କର ଅଧିକ ଯୋଗଦାନ ରହିଛି।
ଦେଶର ଜନସଂଖ୍ୟାରେ ମୁସଲମାନଙ୍କର ବଡ ଅଂଶ ଥିଲେ ମଧ୍ୟ ସେମାନଙ୍କୁ ଆବଶ୍ୟକ ଅଂଶ ମିଳି ପାରି ନାହିଁ। ସଂଖ୍ୟାଲଘୁଙ୍କର ଉଚିତ ବିକାଶ ଦ୍ୱାରା ଦେଶର ବିକାଶ ସମ୍ଭବ ହୋଇ ପାରିବ ବୋଲି ସେ କହିଛନ୍ତି।
କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ପାଓ୍ବାରଙ୍କ ଏଭଳି ମନ୍ତବ୍ୟ ଭୋଟ ରାଜନୀତିକୁ ଜୋରଦାର କରିବ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।