Categories: ଜାତୀୟ

ପାଓ୍ବାର ବନାମ ପାଓ୍ବାର: ଶକ୍ତି ପ୍ରଦର୍ଶନ ପାଇଁ ଇସିଙ୍କ ନିକଟରେ ପହଞ୍ଚିଲେ ଶରଦ ପାଓ୍ବାର…

ମୁମ୍ବାଇ,୫।୭ : ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ରେ ଚାଲିଥିବା ବିବାଦ ବୁଧବାର ଆହୁରି ଘନେଇଛି। ଶାର ପାଓ୍ବାର ବନାମ ଅଜିତ ପାଓ୍ବାରଙ୍କ ମଧ୍ୟରେ ଚାଲିଥିବା ଲଢ଼େଇରେ ଏକ ନୂଆ ମୋଡ଼ ଆସିଛି। ଶରଦ ପାଓ୍ବାର ନିଜ ଶକ୍ତି ପ୍ରଦର୍ଶନ ପାଇଁ ନିର୍ବାଚନ ଆୟୋଗ(ଇସି)ଙ୍କ ନିକଟରେ ପହଞ୍ଚିଛନ୍ତି। କୁହାଯାଉଛି ଶରଦ ପାୱାର କ୍ୟାମ୍ପ ନିର୍ବାଚନ ଆୟୋଗଙ୍କୁ ସାମ୍ପ୍ରତିକ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ଦେଇଛନ୍ତି।

ନିକଟରେ ଶପଥ ଗ୍ରହଣ କରି ମହାରାଷ୍ଟ୍ର ସରକାରରେ ଯୋଗ ଦେଇଥିବା ୯ ଏନସିପି ବିଧାୟକଙ୍କ ବହିଷ୍କାର ସମ୍ପର୍କରେ ଆୟୋଗଙ୍କୁ ଦଳ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଶରଦ ପାୱାର ନେତୃତ୍ୱାଧୀନ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ଏପରି ପଦକ୍ଷେପ ନେଇଛି ଯେଉଁ ସମୟରେ ବୁଧବାର ମୁମ୍ବାଇରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବାକୁ ସମସ୍ତ ବିଧାୟକଙ୍କୁ ହ୍ବିପ୍‌ ଜାରି କରିଛି। ଏଥି ସହ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ୱରେ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ ମଧ୍ୟ ଏଠାରେ ଦଳର ବିଧାୟକଙ୍କ ପୃଥକ ବୈଠକ ଡାକିଛନ୍ତି।

ଶରଦ ପାୱାର ନେତୃତ୍ୱାଧୀନ ଏନସିପିର ମୁଖ୍ୟ ସଚେତକ ଜିତେନ୍ଦ୍ର ଆହ୍ବାଦ କହିଛନ୍ତି ପୱାର ଜୁଲାଇ ୫ ରେ ଏକ ଧାଡ଼ିକିଆ ହ୍ବିପ୍‌ ଜାରି କରିଛନ୍ତି। ହ୍ବିପ୍‌ରେ ଅପରାହ୍ନ ୧ ଟାରେ ଓ୍ବାଇ.ଭି ଚୌହ୍ବାନ କେନ୍ଦ୍ରରେ ଏକ ବୈଠକ ଡକାଯାଇଛି ଏବଂ ସମସ୍ତ ବିଧାୟକଙ୍କ ଉପସ୍ଥିତି ବାଧ୍ୟତାମୂଳକ ବୋଲି କୁହାଯାଇଛି। ଅଜିତ ପାୱାର ରବିବାର ଦିନ ଅନ୍ୟ ଆଠ ଜଣ ବିଧାୟକଙ୍କ ସହ ଶିବସେନା-ଭାରତୀୟ ଜନତା ପାର୍ଟି (ବିଜେପି) ସରକାରରେ ଯୋଗଦେବା ପରେ ଶରଦ ପାୱାର ଆହ୍ବାଦଙ୍କୁ ମୁଖ୍ୟ ସଚେତକ ଭାବରେ ନାମିତ କରିଛନ୍ତି।

ଅଜିତ ପାୱାର କ୍ୟାମ୍ପ ମଙ୍ଗଳବାର ଉପସ୍ଥିତ ତଥା ପୂର୍ବତନ ବିଧାୟକ, ଏମପି, କାର୍ଯ୍ୟାଳୟର ଅଧିକାରୀ, କାର୍ଯ୍ୟ କମିଟି ସଦସ୍ୟ ତଥା ଅନ୍ୟମାନଙ୍କୁ ନୋଟିସ ଜାରି କରି ବୁଧବାର ମହାରାଷ୍ଟ୍ରର ୟୁନିଟ ସଭାପତି ସୁନୀଲ ତଟକରେଙ୍କ ବାନ୍ଦ୍ରାସ୍ଥିତ ଏମଇଟି ଇନଷ୍ଟିଚ୍ୟୁଟ କ୍ୟାମ୍ପସରେ ହାଜର ହେବାକୁ କହିଥିଲେ।

Share