ମୁମ୍ବାଇ, ୩।୯ : ଦଶହରା ରାଲି ପାଇଁ ଉଦ୍ଧବ ଠାକ୍ରେ ଏବଂ ଏକନାଥ ଶିନ୍ଦେଙ୍କ ସମର୍ଥକ ଶିବାଜୀ ପାର୍କ ଲାଗି ଆବେଦନ କରିଛନ୍ତି। ଏଭଳି ପରିସ୍ଥିତିରେ ଉଭୟ ଦଳ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଏବେ ଏନସିପି ଅଧ୍ୟକ୍ଷ ଶରଦ ପାୱାର ଦଶହରା ରାଲିରେ ଏଣ୍ଟ୍ରି କରିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ସେ ପରାମର୍ଶ ଦେଇ କହିଛନ୍ତି ମୁହାଁମୁହିଁ ନ ହୋଇ ବନ୍ଧୁତ୍ୱପୂର୍ଣ୍ଣ ହୁଅନ୍ତୁ ।
ଷାଠିଏ ଦଶକରୁ ପ୍ରତିବର୍ଷ ଲଗାତାର ଶିବାଜୀ ପାର୍କରେ ଶିବସେନା ଦଶହରା ରାଲି ଆୟୋଜନ କରୁଥିବାରୁ ଏହି ପ୍ରସଙ୍ଗଟି ଗୁରୁତ୍ୱପୂର୍ଣ୍ଣ।
ଶିବାଜୀ ପାର୍କର ଦଶହରା ରାଲିରେ ବାଲାସାହେବ ଠାକରେଙ୍କ କଥା ଶୁଣିବା ପାଇଁ ହଜାର ହଜାର ଶିବସୈନିକ ରାଜ୍ୟର ବିଭିନ୍ନ ସ୍ଥାନରୁ ପହଞ୍ଚୁଥିଲେ। ବାଲାସାହେବଙ୍କ ପରେ ତାଙ୍କ ପୁଅ ଉଦ୍ଧବ ଠାକରେ ଏହି ରାଲିର ଆୟୋଜନ କରୁଥିଲେ। ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ହୋଇଛି। ଏହାର କାରଣ ହେଉଛି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଗୋଷ୍ଠୀ ରାଲି ପାଇଁ ଶିବାଜୀ ପାର୍କ ବୁକିଂ ପାଇଁ ଆବେଦନ କରିଛନ୍ତି। ତେବେ ତାଙ୍କ ପୂର୍ବରୁ ଏହି ଆବେଦନ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନରେ ଉଦ୍ଧବ ଠାକରେଙ୍କ ଦ୍ୱାରା କରାଯାଇଛି। ସୂତ୍ରରୁ ପ୍ରକାଶ ଯେ ନିଗମ ଏପର୍ଯ୍ୟନ୍ତ କାହାକୁ ଅନୁମତି ଦେଇନାହାନ୍ତି।
ଶରଦ ପାୱାର କହିଛନ୍ତି ଯେ ଜଣେ ବ୍ୟକ୍ତି ଯିଏ ମୁଖ୍ୟମନ୍ତ୍ରୀ ପଦବୀରେ ଅଛନ୍ତି ସେ କୌଣସି କାର୍ଯ୍ୟରେ ମୁହାଁମୁହିଁ ନହୋଇ ନିଜ କାମ କରିବା ଉଚିତ। ଯେତେବେଳେ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ପରି ଉଚ୍ଚ ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ହୁଅନ୍ତି, ସେତେବେଳେ ସେ ମହାରାଷ୍ଟ୍ରର ସମସ୍ତ ଲୋକଙ୍କ ପ୍ରତିନିଧିତ୍ୱ କରନ୍ତି। ସେ ଅନ୍ୟଙ୍କୁ ବିରୋଧ କରିବା ଭଳି କାର୍ଯ୍ୟରୁ ନିବୃତ୍ତ ହେବା ଜରୁରୀ ବୋଲି ପାଓ୍ବାର କହିଛନ୍ତି।