Categories: ଜାତୀୟ

ଉପା ଅଧ୍ୟକ୍ଷତା ଚର୍ଚ୍ଚାକୁ ପାଓ୍ବାରଙ୍କ ଖଣ୍ଡନ

ପୁଣେ,୪।୪: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାର ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା)ର ଅଧ୍ୟକ୍ଷ ହୋଇପାରନ୍ତି ବୋଲି କିଛିଦିନ ହେଲା ଚର୍ଚ୍ଚା ହେଉଥିଲା। ଏପରିକି ଏନ୍‌ସିପି ଯୁବ ସଂଗଠନରେ ଏନେଇ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ତେବେ ପାଓ୍ବାର ଏହାକୁ ଖଣ୍ଡନ କରିଛନ୍ତି। ଉପା ଅଧ୍ୟକ୍ଷ ହେବା ଲାଗି ତାଙ୍କର ଆଗ୍ରହ ନ ଥିବା ଏନ୍‌ସିପି ମୁଖ୍ୟ କହିଛନ୍ତି। ଭାଜପା ବିରୋଧୀ ସାମ୍ମୁଖ୍ୟର ନେତୃତ୍ୱ ନେବା କିମ୍ବା ଉପା ଅଧ୍ୟକ୍ଷ ହେବା ଲାଗି ସେ ଚାହାନ୍ତି ନାହିଁ। ତେବେ ଏଭଳି ମେଣ୍ଟ ଗଠନ ହେଲେ ଏହାକୁ ଶକ୍ତିଶାଳୀ କରିବା ଦିଗରେ କାର୍ଯ୍ୟ କରିବା ଲାଗି ସେ ପ୍ରସ୍ତୁତ ଥିବା କହିଛନ୍ତି। କେନ୍ଦ୍ରରେ ଭାଜପାର ବିକଳ୍ପ ଗଠନ ଉଦ୍ୟମରେ କଂଗ୍ରେସକୁ ବାଦ୍‌ ଦିଆଯାଇପାରିବ ନାହିଁ, କାରଣ ଏହି ଦଳ କ୍ଷମତାରେ ନ ଥିଲେ ମଧ୍ୟ ସାରା ଦେଶରେ ଏହାର ଉପସ୍ଥିତି ରହିଛି। ସବୁ ଗାଁ, ଜିଲା ଓ ରାଜ୍ୟରେ କଂଗ୍ରେସ କର୍ମୀ ମିଳିବେ। ତେଣୁ ଭାଜପାର ବିକଳ୍ପ ଦେବାକୁ ହେଲେ ସେମାନଙ୍କୁ ସାଙ୍ଗରେ ନେବାକୁ ହେବ ବୋଲି ଏନ୍‌ସିପି ଅଧ୍ୟକ୍ଷ କହିଛନ୍ତି।
କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାରକୁ ସମାଲୋଚନା କରି ପାଓ୍ବାର କହିଥିଲେ, ବଟି ଆଦାୟ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି। ଚଢ଼ାଉ ପୂର୍ବରୁ ଇଡି ଅଧିକାରୀମାନଙ୍କ ସହ ବୁଝାମଣା ନେଇ ଆଲୋଚନା ହେଉଥିବାରୁ ସରକାର ଏହାର ଜବାବ ଦିଅନ୍ତୁ ବୋଲି ପାଓ୍ବାର କହିଥିଲେ। ଭାଜପା ଶାସନରେ ପ୍ରତିଦିନ ତେଲ ଦର ବଢ଼ୁଛି। ଦରଦାମ୍‌ ବୃଦ୍ଧି ସାଧାରଣ ଲୋକଙ୍କ ପାଇଁ ଅତିଷ୍ଠ ହେଲାଣି। ଏହା ଏକ ବଡ଼ ପ୍ରସଙ୍ଗ ହୋଇଥିବାବେଳେ ସରକାରଙ୍କର ସେଥିପ୍ରତି ନଜର ନ ଥିବା ଏନ୍‌ସିପି ଅଧ୍ୟକ୍ଷ କହିଛନ୍ତି।

 

Share