ବ୍ଲୁ ଟିକ୍‌ ପାଇଁ ଏଣିକି ଟୁଇଟର୍‌ ୟୁଜର୍ସଙ୍କୁ ଦେବାକୁ ପଡ଼ିପାରେ ଚାର୍ଜ

ନ୍ୟୁୟର୍କ,୩୧।୧୦: ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର୍‌ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଆସିଛି। ଏଲନ ମସ୍କ ଟୁଇଟର୍‌ କିଣିବା ପରେ ଟୁଇଟର୍‌ର ଅନେକ ନୀତିରେ ପରିବର୍ତ୍ତନ ସାମ୍ନାକୁ ଆସିଛି। କିଛି ଦିନ ପୂର୍ବରୁ, ମସ୍କ ଟୁଇଟର୍‌ ଯାଞ୍ଚ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇବାକୁ ଯାଉଛନ୍ତି ବୋଲି ସୂଚନା ଦେଇଥିଲେ। ସଦ୍ୟତମ ରିପୋର୍ଟ ଅନୁଯାୟୀ ଟୁଇଟରରେ ବ୍ଲୁ ଟିକ ପାଇଁ ୟୁଜର୍ସଙ୍କୁ ଚାର୍ଜ କରାଯିବ।
ମସ୍କ ଖୁବ ଶୀଘ୍ର ଟୁଇଟର୍‌ରେ ‘ପେ ଫର୍‌ ପ୍ଲେ’ ଯାଞ୍ଚ ପ୍ରଣାଳୀ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ସିଷ୍ଟମର ପ୍ରବର୍ତ୍ତନ ସମୟରେ ବ୍ଲୁ ଟିକ ୟୁଜର୍ସମାନଙ୍କୁ ପ୍ରତି ମାସରେ ୨୦ ଡଲାର ଚାର୍ଜ ଦେବାକୁ ପଡିବ, ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୧,୬୪୬ ଟଙ୍କା।
ପ୍ରଥମେ ଟୁଇଟରକୁ କିଣିବା ପାଇଁ ମସ୍କ ୪୪ ବିଲିୟନ ଡଲାରର ଚୁକ୍ତି କରିଥିଲେ। ଏ ସମ୍ପର୍କରେ ସେ ଚଳିତ ବର୍ଷ ଏପ୍ରିଲ ୧୩ରେ ଘୋଷଣା ବି କରିଥିଲେ। ତେବେ ସେ ପୁଣି ଏହି ଡିଲକୁ ଅଧାରୁ ଅଟକାଇ ଦେଇଥିଲେ। ଏହା ପରେ ଟୁଇଟ୍‌ ସିଇଓ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ମସ୍କଙ୍କୁ ଏହି ଡିଲ ଉପରେ ଚୂଡାନ୍ତ ନିଷ୍ପତ୍ତି ନେବାକୁ ଅକ୍ଟୋବର ୨୭ ତାରିଖ ଯାଏ ସମୟ ଦେଇଥିଲେ। ଅକ୍ଟୋବର ୨୭ରେ ମସ୍କ ଟୁଇଟର୍‌କୁ ବିଧିବଦ୍ଧ ଭାବେ କିଣିଥିଲେ।

Share