ନୂଆଁଖାଇ ପୂର୍ବରୁ ବକେୟା ଦରମା ଦିଅ

ବରଗଡ଼,୨୯।୮(ପ୍ରେମାନନ୍ଦ ଖମାରୀ): ବରଗଡ ପୌର ପରିଷଦ ଅଧୀନରେ କାର୍ଯ୍ୟରତ ସ୍ବଚ୍ଛସାଥୀ, ସୁପରଭାଇଜରଙ୍କୁ ଠିକ୍‌ଭାବେ ଦରମା ମିଳୁନାହିଁ। ଏଭଳି ଅଭିଯୋଗ କରି ଗୁରୁବାର ସେମାନେ ପୌର ପରିଷଦ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ନୂଆଁଖାଇ ପୂର୍ବରୁ ବକେୟା ଦରମା ପ୍ରଦାନ ପାଇଁ ସେମାନେ ଦାବି କରିଛନ୍ତି। ପୌର ପ୍ରଶାସନ ପକ୍ଷରୁ ଦରମା ପ୍ରଦାନ ନେଇ ନିର୍ଭର ପ୍ରତିଶ୍ରୁତି ଦିଆଯିବା ପରେ ସେମାନେ ଧାରଣାରୁ ଉଠିଥିଲେ। ତେବେ ପ୍ରତିଶ୍ରୁତି ମୁତାବକ ସେମାନଙ୍କୁ ଦରମା ନ ମିଳିଲେ ଆଗକୁ ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ପ୍ରକାଶ ଯେ, ଉକ୍ତ ପୌର ପରିଷଦରେ କାର୍ଯ୍ୟରତ ସ୍ବଚ୍ଛସାଥୀମାନେ ଠିକ୍‌ଭାବେ ଦରମା ପ୍ରଦାନ ପାଇଁ ଦାବି କରିଆସୁଛନ୍ତି। କିନ୍ତୁ ପୌର ପ୍ରଶାସନ ସେମାନଙ୍କୁ ଅଣଦେଖା କରିଆସୁଛନ୍ତି। ପ୍ରତି ମାସ ୭ତାରିଖ ସୁଦ୍ଧା ସେମାନଙ୍କୁ ଦରମା ପ୍ରଦାନ କରାଯିବା କଥା। କିନ୍ତୁ ତାହା କରା ନ ଯାଇ ମାସର ତୃତୀୟ ସପ୍ତାହରେ ଦରମା ପ୍ରଦାନ କରାଯାଉଥିଲା।

କିନ୍ତୁ ତିନିମାସ ହେଲା ସେମାନଙ୍କୁ ଦରମା ମିଳିନାହିଁ ବୋଲି ସ୍ବଚ୍ଛସାଥୀମାନେ ଅଭିଯୋଗ କରି ସ୍ବଚ୍ଛସାଥୀ, ସୁପରଭାଇଜର ସଂଘର ସଭାନେତ୍ରୀ ସୀମାରାଣୀ ନାଗଙ୍କ ନେତୃତ୍ୱରେ ଧାରଣାକୁ ଓହ୍ଲାଇଥିଲେ। ପୌରାଧ୍ୟକ୍ଷା କଳ୍ପନା ମାଝି ଧାରଣାକାରୀଙ୍କ ଏକ ପ୍ରତିନିଧି ଦଳକୁ ନିଜ କାର୍ଯ୍ୟାଳୟକୁ ଡାକି ଆଲୋଚନା କରିଥିଲେ। ମାତ୍ର ଆଲୋଚନା ଫଳପ୍ରଦ ହୋଇ ନ ଥିଲା। ଧାରଣାସ୍ଥଳକୁ ଆସି ବକେୟା ଦରମା ପ୍ରଦାନ ନେଇ ପ୍ରତିଶ୍ରୁତି ଦେବାକୁ ସେମାନେ କହିଥିଲେ। କିନ୍ତୁ ଦୀର୍ଘ ସମୟ ଧରି ପୌରାଧ୍ୟକ୍ଷା ଧାରଣାସ୍ଥଳୀକୁ ନ ପହଞ୍ଚିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିଲା।

Share