ଡାକ୍ତରଙ୍କୁ ଠିକ୍‌ ସମୟରେ ଦରମା ଦିଅ

ନୂଆଦିଲ୍ଲୀ, ୧।୮(ପି.ଟି.): କରୋନା ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କୁ ଠିକ୍‌ ସମୟରେ ବେତନ ପ୍ରଦାନ କରିବା ନିର୍ଦ୍ଦେଶନାମାକୁ ମହାରାଷ୍ଟ୍ର, ପଞ୍ଜାବ, କର୍ନାଟକ ଓ ତ୍ରିପୁରା ସରକାର ପାଳନ କରୁ ନ ଥିବା ଶୁକ୍ରବାର କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। କୋଭିଡ୍‌-୧୯ ଡ୍ୟୁଟିରେ ଥିବା ଡାକ୍ତର ଓ ଆଗଧାଡ଼ିର ସ୍ବାସ୍ଥ୍ୟକର୍ମୀମାନଙ୍କୁ ଯେପରି ଠିକ୍‌ ସମୟରେ ବେତନ ମିଳିବ ତାହା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବା ନିମନ୍ତେ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସ୍ବାସ୍ଥ୍ୟ କର୍ମଚାରୀମାନଙ୍କ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ ସମୟକୁ ଛୁଟି ବିବେଚନା କରାଯାଇ ସେମାନଙ୍କର ସେହି ସମୟର ବେତନକୁ କଟାଯାଇପାରିବ ନାହିଁ। ଜଷ୍ଟିସ୍‌, ଅଶୋକ ଭୂଷଣ, ଆର୍‌. ସୁଭାଷ ରେଡ୍ଡୀ ଏବଂ ଏମ୍‌.ଆର୍‌. ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏନେଇ କେନ୍ଦ୍ର ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ଯଦି ରାଜ୍ୟ କାର୍ଯ୍ୟକାରୀ ନ କରନ୍ତି ତେବେ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ନେଇପାରିବେ ବୋଲି ଖଣ୍ଡପୀଠ କହିଛନ୍ତି। କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମାମଲା ପରିଚାଳନା କରିଥିଲେ।
ସୁପ୍ରିମକୋର୍ଟଙ୍କ ଜୁନ୍‌ ୧୭ ନିର୍ଦ୍ଦେଶକ୍ରମେ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କୁ ଠିକ୍‌ ସମୟରେ ବେତନ ଦେବା ଲାଗି ଜୁନ୍‌ ୧୮ରେ କେନ୍ଦ୍ର ସରକାର ସବୁ ରାଜ୍ୟକୁ ନିର୍ଦ୍ଦେଶନାମା ଜାରି କରିଥିଲେ। ଅଧିକାଂଶ ରାଜ୍ୟ ଏହାକୁ ଅନୁପାଳନ କରୁଥିବାବେଳେ ମହାରାଷ୍ଟ୍ର, ପଞ୍ଜାବ, କର୍ନାଟକ ଓ ତ୍ରିପୁରା ଠିକ୍‌ ସମୟରେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଠିକ୍‌ ସମୟରେ ବେତନ ଦେଉ ନ ଥିବା ମେହେଟ୍ଟା କହିଥିଲେ।

Share