ଜୁଲାଇ ୯ରେ ପଡ଼ିବ ହାତଗଣ୍ଠି

ବମ୍ବେ: ଟେଲି ପରଦାର ଲୋକପ୍ରିୟ ଯୋଡ଼ି ସଂଗ୍ରାମ ସିଂ ଏବଂ ପାୟଲ ରୋହତଗୀ ହାତକୁ ଦୁଇ ହାତ ହେବେ। ବାର ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଉଭୟଙ୍କ ସମ୍ପର୍କ ଆଉ ପାଦେ ଆଗକୁ ବଢ଼ିବ। ପୂର୍ବରୁ ସେମାନେ ବିବାହ କରିବା ନେଇ ଜଣାପଡ଼ିଥିବା ବେଳେ ଏବେ ତାରିଖ ଜଣାପଡ଼ିଛି। ଜୁଲାଇ ୯ରେ ଆଗ୍ରାରେ ଧୁମ୍‌ଧାମ୍‌ରେ ଏହି ବିବାହ ଅନୁଷ୍ଠିତ ହେବ। ପରିବାର ଗହଣରେ ବିବାହ ସମ୍ପନ୍ନ ହେବା ପରେ ମୁମ୍ବାଇରେ ଉଭୟ ଭୋଜି ଦେବେ।

କହିରଖୁଛୁ, କୁସ୍ତିରୁ ଫେରୁଥିବା ବେଳେ ସଂଗ୍ରାମ ପାୟଲଙ୍କୁ ଭେଟିଥିଲେ। ପାୟଲ ଶୁଟିଂ ସାରି ଫେରୁଥିବା ବେଳେ ତାଙ୍କ କାର୍‌ ହାଇଓ୍ବେରେ ଖରାପ ହୋଇଯାଇଥିଲା। ସଂଗ୍ରାମ ନିଜ ଗାଡ଼ି ରଖି ତାଙ୍କୁ ଲିଫ୍ଟ ଦେଇଥିଲେ। ଏହାପରେ ସେମାନେ ଫୋନ୍‌ ନଂ ପରସ୍ପରକୁ ଦେଇଥିଲେ। ହେଲେ କେହି କାହାକୁ କଲ୍‌ କରି ନ ଥିଲେ। ୨୦୧୨ରେ ଆସିଥିବା ରିଆଲିଟି ଶୋ’ ‘ସରଭାଇବର ଇଣ୍ଡିଆ’ ଶେଷ ଆଡ଼କୁ ସେମାନେ କଥା ହେବା ଆରମ୍ଭ କରିଥିଲେ। ଏବେ ସେମାନେ ସ୍ବାମୀସ୍ତ୍ରୀ ହେବାକୁ ଯାଉଛନ୍ତି।

Share