ପାୟଲଙ୍କ ସଙ୍କଟ ବଢ଼ିଲା, ମହାତ୍ମା-ନେହେରୁଙ୍କ ବିରୋଧରେ ଦେଇଥିଲେ ଆପତ୍ତିଜନକ ମନ୍ତବ୍ୟ…

ମୁମ୍ବାଇ,୧।୯: ବଲିଉଡ ଅଭିନେତ୍ରୀ ପାୟଲ ରୋହତଗି ବିବାଦୀୟ ମନ୍ତବ୍ୟ ଦେଇ ଏବେ ଅଡୁଆରେ ପଡ଼ିଛନ୍ତି। ସୋସିଆଲ ମିଡିଆରେ ଅପଲୋଡ୍‌ ହୋଇଥିବା ଏକ ଭିଡିଓରେ ଜାତିର ପିତା ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗରେ ପାୟଲଙ୍କ ବିରୋଧରେ ଆପିସି ଧାରା ୧୫୩ (ଏ), ୫୦୦ , ୫୦୫(୨) ଏବଂ ୩୪ ଅନ୍ତର୍ଗତ ଏଫଆଇଆର ରୁଜୁ କରାଯାଇଛି। ପୁଣେ ଜିଲା କଂଗ୍ରେସର ମହାସଚିବ ସଙ୍ଗୀତା ତିୱାରୀ ଶିବାଜୀନଗର ପୋଲିସ ଷ୍ଟେସନରେ ପାୟଲଙ୍‌ଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

ଭିଡିଓ ପ୍ରସ୍ତୁତ କରିଥିବା ଅଭିଯୋଗରେ ପୋଲିସ ପାୟଲଙ୍କ ସହିତ ଅନ୍ୟ ଜଣେ ସହଯୋଗୀଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିଛି। ଏଥିରେ କୁହାଯାଇଛି ଯେ ପାୟଲ ମହାତ୍ମା ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ଏବଂ ସେମାନଙ୍କ ପରିବାର ବିରୋଧରେ ଏକ ଅପମାନଜନକ ଭିଡିଓ ପ୍ରସ୍ତୁତ କରିଥିଲେ ଏବଂ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ସୂଚନାଯୋଗ୍ୟ, ପାୟଲଙ୍କ ବିରୋଧରେ ଏହା ପୂର୍ବରୁ ବହୁ ଅଭିଯୋଗ ଅଣାଯାଇଛି।

Share