Categories: ଜାତୀୟ

ଇଂଲଣ୍ଡ ଭଳି ଟିକସ ଦେଉଛୁ, ସୋମାଲିଆ ଭଳି ସେବା ପାଉଛୁ: ରାଘବ

ନୂଆଦିଲ୍ଲୀ, ୨୬ା୭:ଏନ୍‌ଡିଏ ତୃତୀୟ ପାଳି ସରକାର ଉପସ୍ଥାପନ କରିଥିବା ୨୦୨୪-୨୫ ବର୍ଷର ବଜେଟକୁ ରାଜ୍ୟ ସଭା ସଦସ୍ୟ ତଥା ଆପ୍‌ ନେତା ରାଘବ ଚଢ଼ା କଡ଼ା ସମାଲୋଚନା କରିଛନ୍ତି। ଭାରତ ଇଂଲଣ୍ଡ ଭଳି ଟିକସ ଦେଉଥିବାବେଳେ ସୋମାଲିଆ ଭଳି ସେବା ପାଉଥିବା ସେ କହିଛନ୍ତି। ରାଜ୍ୟ ସଭାରେ ଗୁରୁବାର ବଜେଟ ଉପରେ ଆଲୋଚନାରେ ଭାଗନେଇ ଚଢ଼ା କହିଥିଲେ, ସମାଜର କୌଣସି ବର୍ଗଙ୍କୁ ବଜେଟରେ ସନ୍ତୁଷ୍ଟ କରାଯାଇପାରି ନାହିଁ। ଏପରିକି ଭାଜପା ସମର୍ଥକ ଓ ଭୋଟରମାନେ ମଧ୍ୟ ଏଥିରେ ସନ୍ତୁଷ୍ଟ ନୁହନ୍ତି। ସାଧାରଣତଃ ବଜେଟ ସମାଜର କେତେକ ବର୍ଗଙ୍କୁ ଖୁସି କରୁଥିଲାବେଳେ ଅନ୍ୟ କେତେଜଣ ଅସନ୍ତୁଷ୍ଟ ହୋଇଥାନ୍ତି। ତେବେ ଏଥର ସରକାର ପ୍ରତ୍ୟେକଙ୍କୁ ଅସନ୍ତୁଷ୍ଟ କରିଛନ୍ତି। ଗତ ୧୦ ବର୍ଷ ହେଲା ସରକାର ଆୟକର, ଜିଏସ୍‌ଟି, ପୁଞ୍ଜି ଲାଭ ଟିକସ ଆଦି ଜରିଆରେ ଜନସାଧାରଣଙ୍କ ଆୟର ପ୍ରାୟ ୭୦ରୁ ୮୦ ପ୍ରତିଶତ ନେଇଯାଉଛନ୍ତି। ଏହା ବଦଳରେ ଜନସାଧାରଣ କ’ଣ ପାଉଛନ୍ତି ବୋଲି ଆପ୍‌ ନେତା କହିଛନ୍ତି। କି ପ୍ରକାର ବିଶ୍ୱସ୍ତରୀୟ ସ୍ବାସ୍ଥ୍ୟସେବା, ପରିବହନ ଓ ଶିକ୍ଷା ବ୍ୟବସ୍ଥା ମିଳିଛି ବୋଲି ଚଢ଼ା ଜାଣିବାକୁ ଚାହିଁଥିଲେ।

Share