ସୋନମ ଗୁପ୍ତା ଏବଂ ଆଞ୍ଜେଲ ପ୍ରିୟାଙ୍କ ପରେ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ବିନୋଦ। ସେ କିଏ? ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ତାଙ୍କ ନାମ ଟ୍ରେଣ୍ଡ କରୁଛି। କରୋନାଠାରୁ ଅଧିକ ଗତିରେ ବିନୋଦ ବ୍ୟାପୁଛନ୍ତି ବୋଲି କେହି କେହି କହୁଛନ୍ତି। ମାମଲା ଏପରି ବଢ଼ିଲା ଯେ ଜଣେ ବ୍ୟବହାରକାରୀ ପେଟିଏମ୍କୁ ନିଜ ନାମ ବଦଳାଇ ବିନୋଦ କରିବାକୁ କହିଥିଲେ। ଶେଷରେ ସେଇଆ ହେଲା। କମ୍ପାନୀ ନିଜର ଟୁଇଟର ହ୍ୟାଣ୍ଡେଲର ନାମକୁ ବଦଳାଇ ବିନୋଦ କରିଦେଇଛି।
ଘଟଣାର ସୁତ୍ରପାତ ହୋଇଥିଲା ଏକ ଭିଡିଓରୁ। ‘ହ୍ବାଏ ଇଣ୍ଡିଆନ୍ କମେଣ୍ଟ ସେକ୍ସନ ଇଜ୍ ଗାରବେଜ୍(ବିନୋଦ)’ ନାମରେ ଏକ ଭିଡିଓ ୟୁଟ୍ୟୁବ୍ରେ ଛଡ଼ା ଯାଇଥିଲା। ଉକ୍ତ ୟୁଟ୍ୟୁବର କମେଣ୍ଟ ବକ୍ସରେ କିଛି ନଲେଖି କେବଳ ନିଜ ନାମ, ପରିଚୟ ଲେଖି ଚାଲି ଯାଉଥିବା କିଛି ବ୍ୟକ୍ତିଙ୍କ ବିଷୟରେ କହିଥିଲେ। ସେଥିରୁ ଗୋଟିଏ ନାମ ଥିଲା ବିନୋଦ। ଧିରେ ଧିରେ ଏହା ଭାଇରାଲ ହେବାରେ ଲାଗିଥିଲା। ମାମଲା ପେଟିଏମ୍ ପର୍ଯ୍ୟନ୍ତ ପହଞ୍ଚିଥିଲା। ଶେଷରେ କମ୍ପାନୀ ନାମ ବଦଳାଇଦେଇଥିଲା। ଏହା ବେଶ ଚର୍ଚ୍ଚାର ବିଷୟ ପାଲଟିଛି। କେହି କେହି କମ୍ପାନୀକୁ କଭର୍ ଫଟୋ ସଜେଷ୍ଟ କରୁଥିବା ବେଳେ କେହି ପ୍ରୋଫାଇଲ୍ ଫଟୋ କରି ଦେଉଥିବା ଦେଖାଯାଉଛି।