ଆର୍‌ବିଆଇର କାର୍ଯ୍ୟାନୁଷ୍ଠାନ ପରେ ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ, ଓ୍ବାଲେଟ୍‌ର କ’ଣ ହେବ; ଜାଣନ୍ତୁ ସମସ୍ତ ପ୍ରଶ୍ନର ଉତ୍ତର…

ନୂଆଦିଲ୍ଲୀ,୧।୨: ପେଟିଏମ୍‌ ପେମେଣ୍ଟସ୍‌ ବ୍ୟାଙ୍କ ଲିମିଟେଡ୍‌(ପିପିବିଏଲ୍‌) ବିରୋଧରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଫଳସ୍ବରୂପ ୨୦୨୪ ଫେବୃଆରୀ ୨୯ ପରଠାରୁ ପେଟିଏମ୍‌ କୌଣସି ଗ୍ରାହକଙ୍କ ଆକାଉଣ୍ଟ, ପ୍ରିପେଡ୍‌ ଇନ୍‌ଷ୍ଟୁମେଣ୍ଟ, ଓ୍ବାଲେଟ୍‌ ଏବଂ ଫାସ୍‌ଟ୍ୟାଗ୍‌ ମାଧ୍ୟମରେ କୌଣସି ଜମା କିମ୍ବା ଟପ୍‌ ଅପ୍‌ ଗ୍ରହଣ କରିପାରିବ ନାହିଁ। ଏହାକୁ ନେଇ ପେଟିଏମ୍‌ ଓ୍ବାଲେଟ୍‌ ଏବଂ ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କରେ ଟଙ୍କା ଜମା ରଖିଥିବା ଗ୍ରାହକଙ୍କ ଚିନ୍ତା ବଢ଼ିଛି। ଏପରିକି କ’ଣ ଏବେ ପେଟିଏମ୍‌ରୁ ୟୁପିଆଇ ପେମେଣ୍ଟ କରିହେବ ନାହିଁ ସେନେଇ ଜାଣିବାକୁ ଅନେକେ ଇଚ୍ଛୁକ। ଆସନ୍ତୁ ଜାଣିବା:

ପେଟିଏମ୍‌ ଓ୍ବାଲେଟ୍‌ ଏବଂ ପେମେଣ୍ଟ ବ୍ୟାଙ୍କରେ ଜମା ଟଙ୍କା କ’ଣ ହେବ?
ଆର୍‌ବିଆଇ ଗ୍ରାହକଙ୍କୁ ପେମେଣ୍ଟ ବ୍ୟାଙ୍କରେ ଥିବା ଟଙ୍କାକୁ ବାହାର କରିନେବାକୁ ପରାମର୍ଶ ଦେଇଛି। ତେବେ ଫେବୃଆରୀ ୨୯ ପରେ ମଧ୍ୟ ସେମାନେ ଟଙ୍କା ବାହାର କରିପାରିବେ। ଏହାକୁ ଆପଣ ଟଙ୍କାଜମା ଖାତା, ଚାଲୁଥିବା ଆକାଉଣ୍ଟ, ପ୍ରିପେଡ୍‌ କାର୍ଡ, ନ୍ୟାଶନାଲ କମନ୍‌ ମୋବିଲିଟି କାର୍ଡ(ଏନ୍‌ସିଏମ୍‌ସି) ସହିତ ନିଜର ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର କରିପାରିବେ। ଫୋନ୍‌ରେ ରିଚାର୍ଜ ମଧ୍ୟ କରିପାରିବେ। ଏହାର ଅର୍ଥ ପ୍ରଥମରୁ ଜମା ରାଶିକୁ ଆପଣ ବ୍ୟବହାର କରିପାରିବେ, ହେଲେ ଫେବୃଆରୀ ୨୯ ପରେ ପେଟିଏମ୍‌ ବ୍ୟାଙ୍କରେ ଟଙ୍କା ରଖିପାରିବେ ନାହିଁ। ଏହାଛଡ଼ା ଯଦି ଏହି ବ୍ୟାଙ୍କ ଜରିଆରେ ଆପଣ ଫାଇନାନ୍ସ କରିଛନ୍ତି, ପ୍ରତି ମାସରେ ଇଏମ୍‌ଆଇ ଯାଉଛି ତେବେ ଆପଣ ତାହାକୁ ଧାର୍ଯ୍ୟ ସମୟ ମଧ୍ୟରୁ କ୍ଳିଅର କରିନିଅନ୍ତୁ।

ପେଟିଏମ୍‌ ଓ୍ବାଲଟ୍‌ର କ’ଣ ହେବ?
ପେଟିଏମ୍‌ ଓ୍ବାଲଟ୍‌ ବିଷୟରେ କହିଲେ ଏହା ଉପରେ ମଧ୍ୟ ରୋକ ଲଗାଯାଇଛି। ହେଲେ ଆପଣ ଏହାକୁ ଫେବୃଆରୀ ୨୯ ଯାଏ ପୂର୍ବଭଳି ବ୍ୟବହାର କରିପାରିବେ। ପରେ ଏଥିରୁ ରିଚାର୍ଜ କରିହେବ ନାହିଁ। ସବୁଠାରୁ ଭଲ ବିକଳ୍ପ ଯେ ଆପଣ ନିଜର ଓ୍ବାଲେଟ୍‌ରେ ଥିବା ଟଙ୍କାକୁ ନିଜର ବ୍ୟାଙ୍କ ଆକାଉଣ୍ଟ(ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ ବ୍ୟତିତ ଅନ୍ୟ ବ୍ୟାଙ୍କ)କୁ ଟ୍ରାନ୍ସଫର କରିପାରିବେ।

Share