Categories: ବାଣିଜ୍ୟ

ଓଡ଼ିଶା ସିଏମ୍‌ଆର୍‌ଏଫ୍‌ ସହ ପେଟିଏମ୍‌ର ସହଭାଗିତା

ଭୁବନେଶ୍ୱର,୧୩।୬: ଦେଶର ପ୍ରମୁଖ ଦେୟ ଏବଂ ଆର୍ଥତ୍କ ସେବାପ୍ରଦାନକାରୀ ସଂସ୍ଥା ତଥା କ୍ୟୁଆର ଏବଂ ମୋବାଇଲ୍‌ ପେମେଣ୍ଟର ଅଗ୍ରଣୀ କମ୍ପାନୀ ପେଟିଏମ ନିକଟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (ସିଏମ୍‌ଆର୍‌ଏଫ୍‌) ସହ ସହଭାଗିତା କରିଥିବା ଜଣାପଡିଛି। ବିଶେଷ କରି ୨୦୨୩ ଜୁନ ୨ରେ ବାଲେଶ୍ୱର ବାହାନଗାଠାରେ ଘଟି ଯାଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାର ପୀଡ଼ିତଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପେଟିଏମ୍‌ର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ୟୁନିଟ ପେଟିଏମ୍‌ ଫାଉଣ୍ଡେଶନ୍‌ ପକ୍ଷରୁ ଏକ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଛି। ଏପରିକି ବାଲେଶ୍ୱର ରେଳ ଦୁର୍ଘଟଣା ପୀଡ଼ିତଙ୍କ ପାଇଁ ଉକ୍ତ ପାଣ୍ଠି ସଂଗ୍ରହ ଲାଗି ଓଡ଼ିଶା ସିଏମଆରଏଫ ସହିତ ଉକ୍ତ ସହଭାଗିତା (ଅଂଶୀଦାର) ସ୍ଥାପନ ହୋଇଛି। ଅପରପକ୍ଷରେ ପୀଡ଼ିତାଙ୍କୁ ଅଧିକ ସାହାଯ୍ୟ କରିବା ପାଇଁ ବ୍ୟବହାରକାରୀଙ୍କଠାରୁ ଉଠାଯାଇଥିବା ପ୍ରତ୍ୟେକ ଟଙ୍କା ଲାଗି ପେଟିଏମ୍‌ ଫାଉଣ୍ଡେଶନ୍‌ ସମୁଦାୟ ଉପଭୋକ୍ତା ଦାନ ସହିତ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରେ ୨ଗୁଣ ରାଶି ଯୋଗଦାନ କରିବ। ସେହିଭଳି ଏହି ପାଣ୍ଠି ସଂଗ୍ରହ ଅଭିଯାନ ପେଟିଏମ୍‌ ଆପରେ ଉପଲବ୍ଧ ହେବ। ଯେଉଁଠାରେ ଉପଭୋକ୍ତାମାନେ ପେଟିଏମ୍‌ ୱାଲେଟ୍‌, ପେଟିଏମ୍‌ ୟୁପିଆଇ, ପେଟିଏମ୍‌ ପୋଷ୍ଟପେଡ୍‌, ନେଟ୍‌ ବ୍ୟାଙ୍କିଙ୍ଗ୍‌, ଡେବିଟ୍‌ ଏବଂ କ୍ରେଡିଟ୍‌ କାର୍ଡ ମାଧ୍ୟମରେ ମଧ୍ୟ ଓଡ଼ିଶାର ସିଏମଆରଏଫ (ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠି) କୁ ଦାନ କରି ପାରିବେ ବୋଲି ପେଟିଏମ୍‌ ଫାଉଣ୍ଡେଶନର ମୁଖପାତ୍ର ମତବ୍ୟକ୍ତ କରିଛନ୍ତି। ଉକ୍ତ ପାଣ୍ଠିରେ ଯେ କୌଣସି ଅବଦାନ ଆୟକର ଅଧିନିୟମ, ୧୯୬୧ର ଧାରା ୮୦ (ଏ) ଅନୁଯାୟୀ ୧୦୦% ଆୟକର ଛାଡ ପାଇଁ ଯୋଗ୍ୟ ଅଟେ।

Share