
ହାଇଦ୍ରାବାଦ,୧୨ା୪: ଅଭିଶେକ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍ଆର୍ଏଚ୍) ୮ ଉଇକେଟରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍)କୁ ପରାସ୍ତ କରିଛି। ହାଇସ୍କୋରିଂ ମ୍ୟାଚରେ ପିବିକେଏସ୍ ପକ୍ଷରୁ ଧାର୍ଯ୍ୟ ୨୪୬ ରନର ବିଜୟ ଲକ୍ଷ୍ୟକୁ ହାଇଦ୍ରାବାଦ ୧୮.୩ ଓଭରରେ ୨ ଉଇକେଟ ହରାଇ ହାସଲ କରି ନେଇଥିଲା। ଟାର୍ଗେଟର ପିଛା କରି ମ୍ୟାଚ୍ ଜିତିବାରେ ଏହା ଆଇପିଏଲ୍ ଇତିହାସରେ ଦ୍ୱିତୀୟ ସବୁଠୁ ବଡ଼ ବିଜୟ। ଏହା ହାଇଦ୍ରାବାଦ ଲାଗି ଦ୍ୱିତୀୟ ବିଜୟ ହୋଇଥିବା ବେଳେ ପଞ୍ଜାବର ଏହା ଦ୍ୱିତୀୟ ପରାଜୟ।
ଜିତି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୨୪୫ ରନ କରିଛି। ଦଳ ପକ୍ଷରୁ ଅଧିନାୟକ ଶ୍ରେୟସ ଆୟର ୩୬ ବଲରେ ୬ ଲେଖାଏ ଚୌକା ଓ ଛକା ସହିତ ସର୍ବାଧିକ ୮୨ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରିୟାଂଶ ଆର୍ଯ୍ୟ ୩୬ (୨ ଚୌକା ଓ ୪ ଛକା), ପ୍ରଭସିମରନ ସିଂ ୪୨ (୭ ଚୌକା ଓ ୧ ଛକା), ମାର୍କସ ଷ୍ଟୋଇନିସ ୩୪ (୧ ଚୌକା ଓ ୪ ଛକା) ଓ ନେହାଲ ଓ୍ବାଧେରା ୨୭ (୨ ଚୌକା ଓ ୧ ଛକା) ରନ କରିଥିଲେ।
ହାଇଦ୍ରାବାଦ ପକ୍ଷରୁ ହର୍ଶଲ ପଟେଲ ୪ଟି ଓ ପଦାର୍ପଣକାରୀ ଇଶାନ ମାଲିଙ୍ଗା ଦୁଇଟି ଉଇକେଟ ନେଇଥିଲେ। ଜବାବରେ ଏସ୍ଆର୍ଏଚ୍ ପାଇଁ ଅଭିଶେକ ଓ ଟ୍ରାଭିସ ହେଡ୍ ଆରମ୍ଭରୁ ଛକା ଓ ଚୌକା ବର୍ଷା କରିଥିଲେ। ମୁଖ୍ୟତଃ ଅଭିଶେକ ପଞ୍ଜାବର କୌଣସି ବୋଲରଙ୍କୁ ଛାଡ଼ି ନ ଥିଲେ। ଦୁହେଁ ୧୨.୨ ଓଭରରେ ୧୭୧ ରନ କରି ଦଳର ବିଜୟ ନିଶ୍ଚିତ କରିଥିଲେ। ୩୭ ବଲରେ ୯ ଚୌକା ଓ ୩ ଛକା ସହିତ ହେଡ୍ ୬୬ ରନ କରି ଆଉଟ୍ ହୋଇଥିଲେ।
ଅଭିଶେକ ୪୦ ବଲରେ ଶତକ ପୂରଣ କରିଥିଲେ। ଏହା ଆଇପିଏଲ୍ରେ ତାଙ୍କର ପ୍ରଥମ ଶତକ ଥିଲା। ସେ ମୋଟ ଉପରେ ୫୫ ବଲରେ ୧୪ ଚୌକା ଓ ୧୦ ଛକା ସହିତ ୧୪୧ ରନ କରି ଆଉଟ୍ ହୋଇଥିଲେ। ଏହା ଭାରତୀୟ କ୍ରିକେଟରଙ୍କ ଲାଗି ଆଇପିଏଲରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର। ହାଇଦ୍ରାବାଦ ୧୮.୩ ଓଭରରେ ୨ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।