ଇସଲାମାବାଦ୍,୨୧।୧୨: ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ରମିଜ ରାଜାଙ୍କୁ ବହିଷ୍କୃତ କରାଯାଇଛି। ନଜାମ ସେଠୀ ତାଙ୍କ ସ୍ଥାନ ନେବେ ବୋଲି ଜଣାପଡିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ନଜାମ ସେଠୀଙ୍କ ନାମକୁ ଅନୁମୋଦନ କରିଛନ୍ତି। ଇଂଲଣ୍ଡ ବିପକ୍ଷ ତିନିଟି ଟେଷ୍ଟ ମ୍ୟାଚ ସିରିଜ ପାକିସ୍ତାନ ହାରି ଯାଇଥିଲେ। ଏହା ପରେ ରମିଜ ରାଜାଙ୍କ ଚେୟାର ଯାଇପାରେ ବୋଲି ଆଲୋଚନା ହୋଇଥିଲା।
ଇଂଲଣ୍ଡ ସିରିଜ ସମୟରେ ପୂର୍ବତନ ବୋର୍ଡ ସଦସ୍ୟଙ୍କ ନେତୃତ୍ୱରେ ଏକ ଗୋଷ୍ଠୀ ରମିଜଙ୍କୁ ପିସିବି ଅଧ୍ୟକ୍ଷ ପଦରୁ ହଟାଇବା ପାଇଁ ଅଭିଯାନ ଆରମ୍ଭ କରିଥିଲେ। ଏହି ଗୋଷ୍ଠୀ ଦାବି କରିଛି ଯେ, ପରଦା ପଛରେ କିଛି ଖେଳ ଖେଳାଯାଉଛି। ଦେଶର ଆଇନ ମନ୍ତ୍ରଣାଳୟ ମଧ୍ୟ ପିସିବିରେ ପରିବର୍ତ୍ତନ ପାଇଁ ବୋର୍ଡର ଆବାହକ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ନଜାମ ସେଠୀ ଜୁନ ୨୦୧୩ ରୁ ଜାନୁୟାରୀ ୨୦୧୪, ଫେବୃଆରୀ ୨୦୧୪ ରୁ ମେ ୨୦୧୪, ଅଗଷ୍ଟ ୨୦୧୭ ରୁ ଅଗଷ୍ଟ ୨୦୧୮ ପର୍ଯ୍ୟନ୍ତ ପିସିବି ଅଧ୍ୟକ୍ଷ ଥିଲେ। ଏହା ତାଙ୍କର ଚତୁର୍ଥ କାର୍ଯ୍ୟକାଳ ହେବ।