କଂଗ୍ରେସରେ ପୁଣି ପିସିସି ପରିବର୍ତ୍ତନ ମେଳି

ଭୁବନେଶ୍ୱର, ୧୧ା୨(ବ୍ୟୁରୋ):ରାଜ୍ୟ କଂଗ୍ରେସରେ ପିସିସି ପରିବର୍ତ୍ତନ ପାଇଁ ପୁଣିଥରେ ମେଳି ବାନ୍ଧିଛନ୍ତି ଅସନ୍ତୁଷ୍ଟ ନେତା। ପିସିସିର ଆମୂଳଚୂଳ ପରିବର୍ତ୍ତନ ପାଇଁ ଗୋଟିଏ ଗୋଷ୍ଠୀ ପୁଣିଥରେ ଅଣ୍ଟାଭିଡ଼ିଛି। ଗତ କିଛିଦିନ ତଳେ ଯେଉଁ ଗୋଷ୍ଠୀ ଦିଲ୍ଲୀ ଯାଇଥିଲା, ସେମାନଙ୍କ ନେତୃତ୍ୱରେ ବୁଧବାର ସ୍ଥାନୀୟ ଏକ ହୋଟେଲ୍‌ରେ ଛାତ୍ର, ଯୁବ ଓ ବରିଷ୍ଠ ନେତାମାନେ ପୁଣିଥରେ ଏକାଠି ହୋଇଛନ୍ତି। ରାଜ୍ୟରେ କଂଗ୍ରେସ ପ୍ରମୁଖ ବିରୋଧୀ ଦଳ ମାନ୍ୟତା ହରାଇ ତୃତୀୟ ସ୍ଥାନକୁ ଖସି ଆସିଛି। ବିଭିନ୍ନ ଉପନିର୍ବାଚନରେ ଦଳର ପ୍ରାର୍ଥୀ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଏଭଳି ସ୍ଥିତିରେ ଦଳ କିପରି ଏକ୍‌ ହୋଇ ଆଗକୁ ବଢ଼ିବ, ସେ ଚିନ୍ତା ନ କରି ନେତୃତ୍ୱ ପ୍ରତି ଗୋଟିଏ ଗୋଷ୍ଠୀ ଅଙ୍ଗୁଳି ଉଠାଇଛନ୍ତି। ଦେବେନ୍ଦ୍ର ଶର୍ମାଙ୍କ ନେତୃତ୍ୱରେ ମେଳି ବାନ୍ଧିଥିବା ଦଳର ପୂର୍ବତନ ବିଧାୟକ, ଜିଲା ସଭାପତି ଓ ସମ୍ପାଦକଙ୍କ କହିବା କଥା ହେଲା, ରାଜ୍ୟରେ କଂଗ୍ରେସର ଆମୂଳଚୂଳ ପରିବର୍ତ୍ତନର ଆବଶ୍ୟକତା ରହିଛି। ପିସିସି ସଭାପତିଙ୍କ ଠାରୁ ଆରମ୍ଭ କରି ତଳସ୍ତର ପର୍ଯ୍ୟନ୍ତ ପରିବର୍ତ୍ତନ ଜରୁରୀ। ନେତୃତ୍ୱ ବଦଳିଲେ କଂଗ୍ରେସ ଆଗକୁ ବଢ଼ିବ ବୋଲି ସେମାନେ ଆଶା ବାନ୍ଧିଛନ୍ତି। ଆଗକୁ ପିପିଲି ଉପନିର୍ବାଚନ, ପରେ ପରେ ପୌର ଓ ପଞ୍ଚାୟତ ଭୋଟ୍‌ ରହିଛି। ଏହାରି ଭିତରେ ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଆସନ୍ତା ୧୫ରେ ଓଡ଼ିଶା ବନ୍ଦ ଡାକରା ଦେଇଛି। ହେଲେ ମଙ୍ଗୁଆଳଙ୍କୁ ବିରୋଧ କରି ଗୋଟିଏ ଗୋଷ୍ଠୀ ଆଗକୁ ବାହାରିଥିବାରୁ ଦଳ ଆଗକୁ ଏଦିଗରେ କେତେ ସଫଳ ହେବ; ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। କିଛିଦିନ ତଳେ ବ୍ରହ୍ମପୁରରେ କଂଗ୍ରେସ ରାଜ୍ୟ ପ୍ରଭାରୀ ଏ ଚେଲ୍ଲାକୁମାରଙ୍କ ନେତୃତ୍ୱରେ ଏକ ବଡ ଧରଣର କାର୍ଯ୍ୟକ୍ରମ କରିଥିଲା। ହେଲେ ସେହିଦିନ ଉକ୍ତ ଅସନ୍ତୁଷ୍ଟ ଗୋଷ୍ଠୀ ଦିଲ୍ଲୀ ଯାଇ ସାଙ୍ଗଠନିକ ସମ୍ପାଦକ କେ ସି ଭେଣୁଗୋପାଳଙ୍କୁ ଭେଟି ପିସିସି ପରିବର୍ତ୍ତନ ନାରା ଦେଇଥିଲେ। ଅପରପକ୍ଷରେ ବୁଧବାର ଦଳୀୟ ନେତାମାନେ ମେଳି ବାନ୍ଧିଥିବା ନେଇ ଅବଗତ ନ ଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

Share