ଛୋଟ ପିଲା ଭଳି ମନ୍ତବ୍ୟ ଦେଉଛନ୍ତି ପିସିସି ସଭାପତି: ପ୍ରତାପ ଜେନା

ଭୁବନେଶ୍ୱର, ୧୫।୧୦: ଓଡ଼ିଶାର ପୂର୍ବତନ ବାଚସ୍ପତି ଶରତ କରଙ୍କ ଅକ୍ଟୋବର ୧୨ରେ କରୋନାରେ ପରଲୋକ ଘଟିଥିଲା। ତାଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦିଆ ନ ଯିବା ନେଇ ପଶ୍ନ ଉଠାଇଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଗୁରୁବାର ଏହାର ଜବାବ ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା। ଗାର୍ଡ ଅଫ୍‌ ଅନର୍‌ ଦିଆଯିବା ପାଇଁ ସବୁ ପ୍ରକାର ପ୍ରସ୍ତୁତି ସରିଥିଲା। କିନ୍ତୁ ସନ୍ଧ୍ୟା ହୋଇଯିବା ଯୋଗୁ ଦିଆଯାଇପାରି ନ ଥିଲା। ପରିବାର ଲୋକଙ୍କ ଇଚ୍ଛା ଏବଂ କୋଭିଡ କଟକଣା ମଧ୍ୟରେ ସବୁ କିଛି କରାଗଲା। ସେହିପରି ଶରତ କର କରୋନା ଆକ୍ରାନ୍ତ ଥିବାରୁ ତାଙ୍କୁ ବିଧାନସଭା ନିଆଯାଇ ନ ଥିଲା। ଶେଷସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ପଠାଇଥିଲେ। ପିସିସି ସଭାପତି ଛୋଟ ପିଲାଙ୍କ ଭଳି ମନ୍ତବ୍ୟ ଦେଉଛନ୍ତି। ତାଙ୍କଠାରୁ ଏଭଳି ମନ୍ତବ୍ୟ ଆଶା କରାଯାଇ ନ ଥିଲା ବୋଲି ମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ଗତ ବୁଧବାର ପିସିସି ସଭାପତି ଅଭିଯୋଗ କରି କହିଥିଲେ ଏତେ ବଡ ରାଜନେତାଙ୍କୁ ଶେଷ ସମୟରେ ସମ୍ମାନ ନ ଦିଆଯିବା ଦୁଃଖଦାୟକ। ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ।

Share