ପିସିସି ସଭାପତିଙ୍କୁ ଟାର୍ଗେଟ

ଭୁବନେଶ୍ୱର,୧୬।୭(ଅନିଲ ଦାସ): କଂଗ୍ରେସରୁ ନିଲମ୍ବନ ନୋଟିସ ପାଇବା ପରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ପରୋକ୍ଷରେ ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଆମ ଉତ୍ତରରେ ଶୃଙ୍ଖଳା କମିଟି ସନ୍ତୁଷ୍ଟ ହୋଇ ନ ଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଥିବା ଜାଣିବାକୁ ପାଇଛି। ମୁଁ ସେମିତି କିଛି କାର୍ଯ୍ୟ କରିନି, ଯେଉଁଥିରେ ଜଣେ ବିଧାୟକଙ୍କୁ ନିଲମ୍ବନ କରାଯିବ।
ମୁଁ କଂଗ୍ରେସ ସହିତ ଅଛି। ଆଜି ଶରତ ପଟ୍ଟନାୟକ ସଭାପତି ଅଛନ୍ତି, କାଲି ଆଉ କିଏ ଥିବେ। କଂଗ୍ରେସ କୌଣସି ବ୍ୟକ୍ତିଗତ ଦଳ ନୁହେଁ, ଏହା ସାମୂହିକ ଦଳ। କାହାପାଇଁ କାହିଁକି କଂଗ୍ରେସ ଛାଡ଼ିବି । ଯଦି ପିସିସି ସଭାପତି ଭାବୁଛନ୍ତି କିଛି ଲୋକଙ୍କୁ ବାହାର କରିଦେଲେ ଦଳ ସୁଦୃଢ଼ ହୋଇଯିବ ତେବେ ଏ ବିଷୟରେ କିଛି କହିବାର ନାହିଁ। ଏ ସମ୍ପର୍କରେ ଦଳ ସହିତ ଆଲୋଚନା କରାଯିବ। କଂଗ୍ରେସକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଜାନକୀ-ବସନ୍ତ ଶୀର୍ଷକ ଆଲୋଚନାଚକ୍ର ଆୟୋଜନ କରିଥିଲୁ। ଉକ୍ତ କାର୍ଯ୍ୟକ୍ରମରେ ବହୁ କଂଗ୍ରେସ ନେତା, ପୂର୍ବତନ ସଭାପତି, ବହୁ କର୍ମୀ ଉପସ୍ଥିତ ରହିଥିଲେ। ନେତାଙ୍କ ଭିତରେ ମତାନ୍ତର ମନାନ୍ତର ଥିଲେ ହେଁ ସେମାନେ ୧୯୯୫ରେ କଂଗ୍ରେସକୁ କ୍ଷମତାକୁ ଆଣିଥିଲେ। ଏହା କଂଗ୍ରେସର କାର୍ଯ୍ୟକ୍ରମ ଥିଲା। ଏହି ସମୟରେ ଦଳ ବିରୋଧରେ ସେ କୌଣସି ପ୍ରତିକ୍ରିୟା ରଖି ନ ଥିଲେ ବୋଲି କହିଛନ୍ତି। ଭାଜପା ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରି ଭୋଟ ଦେଇଥିବାରୁ ପିସିସି ସଭାପତି ଦଳୀୟ କମିଟିକୁ ଅଭିଯୋଗ କରିଥିଲେ। ଏହାର କାରଣ ଦର୍ଶାଅ ନୋଟିସ୍‌ ପାଇ ପୂର୍ବରୁ ଉତ୍ତର ଦିଆଯାଇଥିଲା। ପରେ ଆଉ ଏକ ଅଭିଯୋଗ କରିଥିଲେ। ଏହି ନୋଟିସ୍‌ ପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହାକୁ ଗ୍ରହଣ କରିବା ସହ ଆଗକୁ ଦଳକୁ ସଂଗଠନ କରିବାକୁ କାମ କରିବି ବୋଲି ମୋକିମ କହିଛନ୍ତି।
ଅନ୍ୟପକ୍ଷରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଦଳଠାରୁ ଊର୍ଦ୍ଧ୍ୱରେ କେହି ନୁହନ୍ତି। ଦଳ ଯାହା ନିଷ୍ପତ୍ତି ନେବ ଆମେ ଯେଉଁ ପଦବୀରେ ଥାଉନା କାହିଁକି ମାନିବାକୁ ବାଧ୍ୟ। ଏଆଇସିସି ଯାହା ନିଷ୍ପତ୍ତି ନେଇଛି, ଆମେ ତାକୁ ଗ୍ରହଣ କରୁଛୁ। କଂଗ୍ରେସ ଏକ ହୋଇ ଅଛି, ସର୍ବଦା ଏକ ହୋଇ ରହିବ। ଏକଦା ଭାଜପାର ପାର୍ଲାମେଣ୍ଟରେ ୨ ଜଣ ଏମ୍‌ପି ଥିଲେ, ଏବେ ଏହି ଦଳ ଦେଶକୁ ଶାସନ କରୁଛି। ତେଣୁ କିଛି ବି ହବନି ବୋଲି କିଏ କହୁଛି । କାଲି କ’ଣ ହେବ ତା’ର ଭବିଷ୍ୟବାଣୀ କିଏ କରିପାରିବ। ଓଡ଼ିଶାବାସୀଙ୍କ ଆଶୀର୍ବାଦରେ କଂଗ୍ରେସ ୯ରୁ ୯୦ ହେବ ବୋଲି ଆଗରୁ କହିସାରିଛି। ତେଣୁ କ’ଣ କରାଯିବ ତାହା ପରେ ଆଲୋଚନା ହେବ ବୋଲି ଶରତ କହିଛନ୍ତି।

Share