‘ପିସିସି ସଭାପତି ବଦଳିବେନି

ଭୁବନେଶ୍ୱର, ୧୬ା୭(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ପଦବୀରୁ ହଟିପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିବାପରେ କଂଗ୍ରେସ ଭିତରେ ଭିନ୍ନ ଆଲୋଚନା ହେଉଛି। ବର୍ତ୍ତମାନ ଏ ପ୍ରକାର ଚର୍ଚ୍ଚାକୁ ବନ୍ଦ କରାଇବା ଲାଗି ନିରଞ୍ଜନ ପଟ୍ଟନାୟକ ଜୋର୍‌ଦାର ପ୍ରୟାସ ଚଳାଇଥିବା ଶୁଣିବାକୁ ମିଳୁଛି। କେତେଜଣ ନେତାଙ୍କ କହିବା ହେଲା, ଦଳରେ ବର୍ତ୍ତମାନ ପିସିସି ପରିବର୍ତ୍ତନ ହେବ ବୋଲି ଯେଉଁମାନେ କହୁଛନ୍ତି ସେମାନଙ୍କୁ ମୁହଁ ବନ୍ଦ କରିବା ଲାଗି ଅନୁରୋଧ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟପଟେ ମଙ୍ଗଳବାର ରାଜ୍ୟ ସଭାର ପୂର୍ବତନ ସଦସ୍ୟ ରଞ୍ଜୀବ ବିଶ୍ୱାଳ କହିଛନ୍ତି, ବାରମ୍ବାର ଓଡ଼ିଶାରେ ପିସିସି ପରିବର୍ତ୍ତନ ନେଇ ଗଣମାଧ୍ୟମରେ ଯେଉଁ ଚର୍ଚ୍ଚା କରାଯାଉଛି ତାହା ଭିତ୍ତିହୀନ। କିଛିଦିନ ତଳେ ଗୁଜରାଟ କଂଗ୍ରେସର ନୂତନ କାର୍ଯ୍ୟକାରୀ ସଭାପତି ନିଯୁକ୍ତ ହୋଇଛନ୍ତି। ଓଡ଼ିଶାରେ ସେପରି କିଛି ପରିବର୍ତ୍ତନ ନେଇ ଏଆଇସିସି(ଅଖିଳ ଭାରତ କଂଗ୍ରେସ କମିଟି) ପକ୍ଷରୁ ସୂଚନା ନାହିଁ। ପିସିସି ସଭାପତି ଦୌଡ଼ରେ ସେ ନାହାନ୍ତି, ଏହା କାଳ୍ପନିକ କଥା। ଆଲୋଚନା ହେଉଥିବା ବ୍ୟକ୍ତିଙ୍କ ମଧ୍ୟରୁ କେହି ସଭାପତି ପାଇଁ ଲବି କରୁନାହାନ୍ତି କି ଦିଲ୍ଲୀରେ ଡେରା ପକାଉନାହାନ୍ତି। ନିରଞ୍ଜନ ଆଗକୁ ଏହି ପଦରେ ରହିବେ ବୋଲି ସେ କହିଛନ୍ତି।

Share