ଆଜିଠୁ ଶିଶୁଙ୍କୁ ପିସିଭି ଟିକା

ଭୁବନେଶ୍ୱର, ୩୦।୬(ବ୍ୟୁରୋ):ଶିଶୁଙ୍କୁ ନିମୋକୋକାଲ ନିମୋନିଆ ଓ ମସ୍ତିଷ୍କ ସଂକ୍ରମଣରୁ ସୁରକ୍ଷା ଦେବ ନିମୋକୋକାଲ କଞ୍ଜୁଗେଟ୍‌ ଟିକା (ପିସିଭି)। ଶିଶୁଙ୍କ ନିୟମିତ ଟିକାକରଣରେ ଏହାକୁ ସାମିଲ କରାଯାଇଥିବାବେଳେ ବୁଧବାରଠାରୁ ସାରା ରାଜ୍ୟରେ ଟିକାକରଣ ଆରମ୍ଭ ହେବ। ଭୁବନେଶ୍ୱର ୟୁନିଟ୍‌-୪ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏହି ଟିକାକରଣ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ। ଏହି ଟିକାର ତିନୋଟି ଡୋଜ୍‌ ଦିଆଯିବ। ପ୍ରଥମ ଡୋଜ୍‌ ଦେଢ଼ ମାସରେ, ଦ୍ୱିତୀୟଟି ସାଢ଼େ ତିନି ମାସରେ ଓ ତୃତୀୟ ଡୋଜ୍‌ ୯ ମାସରେ ଦିଆଯିବ। ବିଶ୍ୱର ୧୪୬ଟି ଦେଶରେ ଏହାର ବ୍ୟବହାର ହେଉଥିବାବେଳେ ଭାରତରେ ବିହାର, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ଆଦି ୫ ରାଜ୍ୟରେ ୨୦୧୭ରୁ ଚାଲୁଛି। ଓଡ଼ିଶାରେ ପ୍ରଥମଥର ପାଇଁ ଏହି ଟିକାକୁ ୟୁନିଭର୍ସାଲ ଇମ୍ୟୁନାଇଜେଶନ ପ୍ରୋଗ୍ରାମ(ୟୁଆଇପି)ରେ ସାମିଲ କରାଯାଇଛି। ଏହି ଟିକା ବ୍ୟୟବହୁଳ ହୋଇଥିବାବେଳେ ରାଜ୍ୟ ସରକାର ଏହାକୁ ମାଗଣାରେ ଦେବେ। ପରିବାର କଲ୍ୟାଣ ନିର୍ଦ୍ଦେଶକ ତଥା ରାଜ୍ୟ ଇମୁନାଇଜେଶନ ଅଫିସର ଡା. ବିଜୟ ପାଣିଗ୍ରାହୀ କହିଛନ୍ତି, ବର୍ତ୍ତମାନ ଆସିଥିବା ୮୮,୪୦୦ ଟିକା ସବୁ ଜିଲାକୁ ବଣ୍ଟନ କରାଯାଇଛି। ପ୍ରତି ବୁଧବାର ପିଲାଙ୍କୁ ଏହି ଟିକା ଦିଆଯିବ। ଏହାର ସେଭଳି କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ବୋଲି ପାଣିଗ୍ରାହୀ କହିଛନ୍ତି।

Share