Categories: ଜାତୀୟ

ସମ୍ପର୍କ ବୃଦ୍ଧି ପାଇଁ ସୀମାରେ ଶାନ୍ତି ଜରୁରୀ

ନୂଆଦିଲ୍ଲୀ,୨୮ା୪: ସାଙ୍ଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ବୈଠକରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଆସିଥିବା ଚାଇନା ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗ୍‌ଫୁଙ୍କ ସହ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ଆଲୋଚନାରେ ସାମିଲ ହୋଇଛନ୍ତି। ଭାରତ-ଚାଇନା ସମ୍ପର୍କ ବୃଦ୍ଧି ପାଇଁ ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରହିବା ଜରୁରୀ ବୋଲି ଏହି ଅବସରରେ ରାଜନାଥ ତାଙ୍କ ପ୍ରତିପକ୍ଷଙ୍କୁ କହିଥିବା ଜଣାଯାଇଛି। ଉଭୟ ସୀମାନ୍ତ ସ୍ଥିତି ଏବଂ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରିଥିଲେ। ୨୦୨୦ରେ ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ପ୍ରଥମ ଥର ପାଇଁ ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଦ୍ୱିପାକ୍ଷିକ ଆଲୋଚନାରେ ସାମିଲ ହୋଇଛନ୍ତି। ଦ୍ୱିପାକ୍ଷିକ ଚୁକ୍ତିନାମା ଏବଂ ପ୍ରତିଶ୍ରୁତି ଅନୁଯାୟୀ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ର ସମସ୍ତ ପ୍ରସଙ୍ଗର ସମାଧାନ ହେବା ଆବଶ୍ୟକ ବୋଲି ବୈଠକ ଶେଷରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ପୂର୍ବ ଚୁକ୍ତିନାମାର ଉଲ୍ଲଂଘନ ଯୋଗୁ ଦ୍ୱିପାକ୍ଷିକ ସମ୍ପର୍କର ସମ୍ପୂର୍ଣ୍ଣ ଭିତ୍ତି ଦୁର୍ବଳ ହେଲା। ପରିଣାମ ସ୍ବରୂପ ସୀମାରେ ଉଭୟ ପକ୍ଷର ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଓ ଉତ୍ତେଜନା ସୃଷ୍ଟି ହେଲା ବୋଲି ଆଲୋଚନା ବେଳେ ରାଜନାଥ ଦୋହରାଇଥିଲେ।

Share