Categories: ଜାତୀୟ

ମଣିପୁର ପାଇଁ ଶାନ୍ତି କମିଟି ଗଠିତ

ନୂଆଦିଲ୍ଲୀ/ଗୁଆହାଟୀ, ୧୧ ।୬:  ହିଂସା କ୍ଷତିଗ୍ରସ୍ତ ମଣିପୁରରେ ଶାନ୍ତି ଓ ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ସରକାର ଏକ କମିଟି ଗଠନ କରିଛନ୍ତି। ମଣିପୁର ରାଜ୍ୟପାଳ ଅନୁସୂୟା ଉଇକେଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଶାନ୍ତି କମିଟିରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ଏମ୍‌ପି, ବିଧାୟକ ଏବଂ ବିଭିନ୍ନ ରାଜନୈତିକ ଦଳର ନେତା ସଦସ୍ୟ ରହିଛନ୍ତି। ଏହା ବ୍ୟତୀତ ପୂର୍ବତନ ପ୍ରଶାସନିକ ଅଧିକାରୀ, ଶିକ୍ଷାବିତ୍‌, ସାହିତି୍ୟକ, କଳାକାର, ସାମାଜିକ କର୍ମୀ ଏବଂ ବିଭିନ୍ନ ଧର୍ମୀୟ ସଂଗଠନର ପ୍ରତିନିଧିଙ୍କୁ କମିଟିରେ ନିଆଯାଇଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଶାନ୍ତି ଆଲୋଚନା ଏବଂ ବିବାଦରେ ସମ୍ପୃକ୍ତ ଥିବା ଗୋଷ୍ଠୀ ମଧ୍ୟରେ ବୁଝାମଣା କରି ମଣିପୁରର ବିଭିନ୍ନ ଧର୍ମୀୟ ସମ୍ପ୍ରଦାୟ ମଧ୍ୟରେ ଶାନ୍ତି ସ୍ଥାପନ ପ୍ରକ୍ରିୟାକୁ ସୁଗମ କରିବା ଏହି କମିଟିର ଉଦ୍ଦେଶ୍ୟ।
ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ମଣିପୁର ଗସ୍ତ ବେଳେ ହିଂସାକାଣ୍ଡର ସିବିଆଇ ତଦନ୍ତ ଏବଂ ଶାନ୍ତି କମିଟି ଗଠନ ନେଇ ଘୋଷଣା କରିଥିଲେ। ଇତିମଧ୍ୟରେ ସିବିଆଇ ପକ୍ଷରୁ ୧୦ ଜଣିଆ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ ହେବା ସହ ୬ଟି ଏତଲା ଦାଏର ହୋଇଛି। ଗତ ୨୪ ଘଣ୍ଟାରେ ମଧ୍ୟରେ ଇମ୍ଫାଲ ଇଷ୍ଟ, କାକ୍‌ଚିଙ୍ଗ, ତେଙ୍ଗନୁପାଲ ଏବଂ ବିଷ୍ଣୁପୁର ଜିଲାରୁ ୫୭ ଅସ୍ତ୍ର, ୧,୫୮୮ ଗୁଳି ଏବଂ ୨୩ ବୋମା ଜବତ ହୋଇଛି। ଏହାକୁ ମିଶାଇ ମୋଟ ୯୫୩ ଅସ୍ତ୍ର, ୧୩,୩୫୧ ଗୁଳିଗୋଳା ଏବଂ ୨୨୩ ବୋମା ଜବତ ହେଲାଣି।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଶନିବାର ତାଙ୍କ ମଣିପୁର ପ୍ରତିପକ୍ଷ ଏନ୍‌. ବୀରେନ୍‌ ସିଂ ଏବଂ ବିଭିନ୍ନ ସଂଗଠନ ଓ ସିଭିଲ ସୋସାଇଟି ସହ ଏକାଧିକ ବୈଠକ କରିଛନ୍ତି। ମେ’ ୩ରୁ ଆରମ୍ଭ ହୋଇଥିବା ମଣିପୁର ହିଂସାରେ ଏପର୍ଯ୍ୟନ୍ତ ୧୦୫ ଜଣଙ୍କ ଜୀବନ ଯିବା ସହ ୩୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀରବତାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମଣିପୁରବାସୀଙ୍କ ପ୍ରତି ବିଶ୍ୱାସଘାତ କରିଥିବା ସେ ଅଭିଯୋଗ କରିଛନ୍ତି। ଏପରି କି ଶାନ୍ତି ଫେରାଇଆଣିବା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଲୋକଙ୍କୁ ନିବେଦନ କରିନାହାନ୍ତି। ମୋଦିଙ୍କ ନୀରବତା ରାଜ୍ୟବାସୀଙ୍କ କଟା ଘା’ରେ ଚୂନ ଦେବା ଭଳି ବୋଲି ଖାର୍ଗେ କହିଛନ୍ତି।

Share