Categories: ଜାତୀୟ

ସଙ୍କଟର ସମାଧାନ ପାଇଁ ଗଠନ ହେବ ଶାନ୍ତି କମିଟି: ଶାହା

ଇମ୍ଫାଲ, ୨ା୬: ମଣିପୁର ହିଂସା ଘଟଣାର ବିଚାରବିଭାଗୀୟ ତଦନ୍ତ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ତତ୍ତ୍ୱାବଧାନରେ କରାଯିବ ବୋଲି ଗୁରୁବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି। ଏନେଇ ଖୁବ୍‌ଶୀଘ୍ର ଘୋଷଣା କରାଯିବ। ହିଂସାର ସମାଧାନ ପାଇଁ ମଣିପୁର ରାଜ୍ୟପାଳ ଅନସୂୟା ଉଇକେଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ଗଠନ କରାଯିବ ବୋଲି ଶାହା ଘୋଷଣା କରିଛନ୍ତି। ଉକ୍ତ କମିଟିରେ ସମସ୍ତ ବିରୋଧୀ ଦଳରୁ ପ୍ରତିନିଧି ରହିବା ସହ ସାମାଜିକ ସଂଗଠନ, କୁକି ଓ ମେଇତି ସମ୍ପ୍ରଦାୟରୁ ପ୍ରତିନିଧି ରହିବେ। ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହୋଇପାରିବ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ କହିଛନ୍ତି।
ମଣିପୁର ହିଂସା ପଛରେ ରହିଥିବା ୫ଟି ଆପରାଧିକ ଷଡ଼ଯନ୍ତ୍ର ଏବଂ ଗୋଟିଏ ସାଧାରଣ ଷଡ଼ଯନ୍ତ୍ରର ତଦନ୍ତ ସିବିଆଇ ଟିମ୍‌ କରିବ। ହିଂସା ଏକ ଅସ୍ଥାୟୀ ପର୍ଯ୍ୟାୟ, ମତଭେଦକୁ ଦୂର କରାଗଲେ ସ୍ବାଭାବିକ ସ୍ଥିତି ଫେରିପାରିବ ବୋଲି ଶାହା ଗଣମାଧ୍ୟମକୁ କହିଛନ୍ତି। ଭାରତ-ମ୍ୟାନ୍‌ମାର ସୀମା ପ୍ରସଙ୍ଗର ଏକ ସ୍ଥାୟୀ ସମାଧାନ ହେବା ଆବଶ୍ୟକ। ଏଥିପାଇଁ ଦୁଇ ଦେଶ ମଧ୍ୟରେ ରହିଥିବା ସୀମାରେ ବାଡ଼ କାମ ସମ୍ପୂର୍ଣ୍ଣ କରିବାକୁ ହେବ ବୋଲି ଶାହା କହିଛନ୍ତି।
ମଣିପୁର ହିଂସାରେ ୮୦ ଜଣଙ୍କ ଜୀବନ ଯାଇଥିବାବେଳେ ପୋଲିସ ମୁଖ୍ୟଙ୍କ ସମେତ କେତେଜଣ ପଦାଧିକାରୀଙ୍କୁ ପରିବର୍ତ୍ତନ କରାଯାଇଛି। ତ୍ରିପୁରା କ୍ୟାଡର ଆଇପିଏସ୍‌ ଅଫିସର ରାଜୀବ ସିଂଙ୍କୁ ମଣିପୁରର ନୂଆ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତ କରାଯାଇଛି। ପୂର୍ବରୁ ସିଆର୍‌ପିଏଫ୍‌ ଆଇଜି ଥିବା ରାଜୀବଙ୍କୁ ଆନ୍ତଃକ୍ୟାଡର ଡେପୁଟେଶନରେ କେନ୍ଦ୍ରରୁ ମଣିପୁର ଅଣାଯାଇଛି। ବର୍ତ୍ତମାନର ଡିଜିପି ପି. ଡୁଙ୍ଗେଲଙ୍କୁ ଗୃହ ବିଭାଗକୁ ବଦଳି କରାଯାଇଛି।

Share