ପିପିଲି/ଡେଲାଙ୍ଗ,୧୪।୪(ଡି.ଏନ୍.ଏ./ସ୍ବ.ପ୍ର.): ପିପିଲି ନିର୍ବାଚନମଣ୍ଡଳୀରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଧର୍ମେନ୍ଦ୍ର ମେଗା ରୋଡ୍ ଶୋ କରି ପ୍ରଚାର ଆରମ୍ଭ କରିଛନ୍ତି। ଏହି ରୋଡ୍ ଶୋ ପିପିଲି ଉତ୍ତରା ଛକଠାରୁ ଶତାଧିକ କର୍ମୀଙ୍କ ଭବ୍ୟ ସ୍ବାଗତ ପରେ ଆରମ୍ଭ ହୋଇଥିଲା। ସେଠାରୁ ବିରାଟ ପଟୁଆରରେ ପିପିଲି ଚାନ୍ଦୁଆ ବଜାର ଦେଇ ତେଇଶିପୁର ଏବଂ ପରେ ପଟ୍ଟନାୟିକିଆଠାରେ ପହଞ୍ଚତ୍ଥିଲେ। ସେଠାରୁ ପୁଣି ଡେଲାଙ୍ଗ ଅଭିମୁଖେ ପ୍ରଚାର ଯାତ୍ରା ଆରମ୍ଭ ହୋଇ ହରିରାଜପୁର ପର୍ଯ୍ୟନ୍ତ ମନ୍ତ୍ରୀ ଧର୍ମେନ୍ଦ୍ର କରିଥିଲେ ମେଗା ରୋଡ୍ ଶୋ। ଧର୍ମେନ୍ଦ୍ରଙ୍କ ଏହି ବିରାଟ ରୋଡ୍ ଶୋରେ ପ୍ରାର୍ଥୀ ଆଶ୍ରିତଙ୍କ ସହ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ରାଜ୍ୟ ଭାଜପା ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସହ ସାମିଲ ହୋଇଥିଲେ ବହୁ ହେଭିୱେଟ ନେତା। ଲୋକେ ଶାନ୍ତି ପାଇଁ ଭୋଟ ଦିଅନ୍ତୁ, ଶାନ୍ତି ଆସିଲେ ଉଭୟ ଅଞ୍ଚଳର ବିକାଶ ହେବ ବୋଲି ମନ୍ତ୍ରୀ ପ୍ରଧାନ କହିଥିଲେ। ଏଥିସହ ଫନୀ ପାଇଁ କ୍ଷୟକ୍ଷତିର ସହାୟତା ବାଟମାରଣା ଓ ମୋଦି ସରକାରଙ୍କ ସୁଫଳ ଯୋଜନାର ବାଟମାରଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।