Advertisement
Categories: ଜାତୀୟ

ଜେଡୟୁଏଫ ଉଗ୍ରବାଦୀ ସଂଗଠନ ସହିତ ଶାନ୍ତି ବୁଝାମଣା…

ନୂଆଦିଲ୍ଲୀ/ଇମ୍ଫାଲ,୨୭।୧୨ : ଭାରତ ସରକାର ଏବଂ ମଣିପୁର ସରକାର ୧୦ ବର୍ଷରୁ ଅଧିକ ସମୟ ଧରି ସକ୍ରିୟ ଥିବା ଜେଲିଆଙ୍ଗ୍ରୋଙ୍ଗ ୟୁନାଇଟେଡ ଫ୍ରଣ୍ଟ (ଜେଡୟୁଏଫ) ଉଗ୍ରବାହୀ ସଂଗଠନ ସହିତ ନୂଆଦିଲ୍ଲୀଠାରେ ଶାନ୍ତି ବୁଝାମଣା ସ୍ବାକ୍ଷର କରିଛନ୍ତି। ଏହି ଚୁକ୍ତିନାମା ଅନୁଯାୟୀ ବିଦ୍ରୋହୀ ସଂଗଠନ ମଣିପୁରରେ ଶାନ୍ତି ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିବାକୁ ରାଜି ହୋଇଛନ୍ତି। ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ,କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ତଥା ରାଜ୍ୟ ସରକାର ଏବଂ ଜେଡୟୁଏଫ ର ପ୍ରତିନିଧୀଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି।

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ସଶସ୍ତ୍ର ଉଗ୍ରବାଦୀ ସଂଗଠନ ଜେଡୟୁଏଫର ପ୍ରତିନିଧୀମାନେ ହିଂସା ଏଡ଼ାଇବାକୁ ଏବଂ ଦେଶର ଆଇନ ଅନୁଯାୟୀ ପ୍ରତିଷ୍ଠିତ ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭାଗ ନେବାକୁ ରାଜି ହୋଇଛନ୍ତି। ଏହି ଚୁକ୍ତିରେ ସଂଗଠନର ସଶସ୍ତ୍ର କ୍ୟାଡରଙ୍କର ପୁନର୍ବାସ ପାଇଁ ବ୍ୟବସ୍ଥା କରାଯାଇଛି। ଚୁକ୍ତିନାମା ଅନୁଯାୟୀ, ଢାଞ୍ଚାଗତ ନିୟମର କାର୍ଯ୍ୟକାରିତାକୁ ତଦାରଖ କରିବା ପାଇଁ ଏକ ମିଳିତ ମନିଟରିଂ ଦଳ ଗଠନ କରାଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶରେ ଭାରତ ସରକାର ବିଦ୍ରୋହର ଅନ୍ତ ଘଟାଇବା ଏବଂ ଉତ୍ତର ପୂର୍ବରେ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି ବୋଲି ବିବୃତ୍ତିରେ କୁହାଯାଇଛି।

Share