ସ୍ବାବଲମ୍ବୀ କରିଛି ଚିନାବାଦାମ ବିକ୍ରି

କେନ୍ଦୁଝର, ୫ା୧୦(ସ୍ବ.ପ୍ର.)-ବର୍ତ୍ତମାନ ଚିନାବାଦାମ ଅମଳର ସମୟ। ଚାଷୀ ଚିନାବାଦମ ଅମଳ କରି ବିକି ବେଶ ଦୁଇ ପଇସା ଲାଭ କରିଥାଏ। ବେପାରୀ ମାନେ ଏହି ଚିନାବାଦାମକୁ କିଣି ନେଇ ଅନ୍ୟ ଜିଲା ଓ ରାଜ୍ୟକୁ ଚାଲାଣ କରି ଲାଭ କରିଥାନ୍ତି। ତେବେ ପଡୋଶୀ ମୟୂରଭଞ୍ଜ ଜିଲାର ଚିନାବାଦାମର ଚାହିଦା କେନ୍ଦୁଝର ଜିଲାରେ ଦେଖିବାକୁ ମିଳିଛି। ମୟୂରଭଞ୍ଜ ଜିଲାର ଚଢେଇଭୋଳ ଅଞ୍ଚଳରୁ ଏହି ଚିନାବାଦାମ ଆସିଥାଏ। କେତେକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ପ୍ରତ୍ୟେକ ଦିନ ବସ୍ତା ବସ୍ତା ଚିନା ବାଦାମ ଆଣି କେନ୍ଦୁଝର ସହରରେ ବିକୁଥିବା କୁହନ୍ତି।
ପଇଲା (କିଲୋ) ୨୫ ଟଙ୍କାରେ ଦରରେ ବାଦାମ କିଣି ଆଣି ଏଠାରେ କିଲୋ ୪୦ ଟଙ୍କା ବା ମାଣ ୨୦ ଟଙ୍କାରେ ବାଦମ ବିକି ଦୁଇ ପଇସା ଲାଭ କରିଥାନ୍ତି। ପ୍ରତ୍ୟେକ ବର୍ଷ ୪ ମାସ ଅର୍ଥାତ ମକର ପର୍ଯ୍ୟନ୍ତ ଏଭଳି ବାଦାମ ଆଣି କେନ୍ଦୁଝରରେ ବିକିଥାନ୍ତି ବୋଲି ପ୍ରମିଳା ନାୟକ କହିଛନ୍ତି। ଦୈନିକ ପାଖାପାଖି ୧୫୦/୨୦୦ ଟଙ୍କା ଏହି ବାଦାମ ବିକି ରୋଜଗାର କରୁଛନ୍ତି। ଏଭଳି ସେ ଅଞ୍ଚଳର ଅନ୍ୟ ମହିଳା ମାନେ ମଧ୍ୟ ବିଭିନ୍ନ ହାଟ/ବଜାରରେ ଚିନାବାଦାମ ବିକି ଦୁଇ ପଇସା ଲାଭ କରି ପରିବାର ଚଳାଇ ଆସୁଥିବା କହିଛନ୍ତି। ସେମାନେ ବିଭିନ୍ନ ମହିଳା ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟା ଅଛନ୍ତି ବୋଲି ଦସରୀ ନାଏକ କହିଛନ୍ତି। ବର୍ଷ ସାରା ବିଭିନ୍ନ ପ୍ରକାରର ବ୍ୟବସାୟ କରି ରୋଜଗାରକ୍ଷମ ହୋଇ ଆସୁଛନ୍ତି ବୋଲି କହିଛନ୍ତି।