ମୋତିଝରଣ ଜୁ ହେଲା ପ୍ରାଣୀ ଉଦ୍ୟାନ, ଉଦ୍ଧାର କେନ୍ଦ୍ର

ସମ୍ବଲପୁର,୨୩ା୭(ଶୁଭାଶିଷ ପାଢ଼ୀ)ସମ୍ବଲପୁର ମୋତିଝରଣଠାରେ ଥିବା ଜୁ (ଚିଡ଼ିଆଖାନା) ପ୍ରାଣୀ ଉଦ୍ୟାନ ଓ ଉଦ୍ଧାର କେନ୍ଦ୍ର ନାମରେ ନାମିତ ହୋଇଛି। ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ଏହାର ନାମ ପରିବର୍ତ୍ତନ କରିଛନ୍ତି।
ହୀରାକୁଦ ୱାଇଲ୍ଡ ଲାଇଫ୍‌ ଡିଭିଜନ ୬୦୦୦ରୁ ଅଧିକ ଉଦ୍ଭିଦ ସହ ୪ହେକ୍ଟର ପରିମିତ ଅଞ୍ଚଳରେ ଗତବର୍ଷ ବଟାନିକାଲ୍‌ ବଗିଚା ଆରମ୍ଭ କରିଥିଲା। ଏହା ପ୍ରାଣୀ ଉଦ୍ୟାନର ପ୍ରାଣୀମାନଙ୍କ ପାଇଁ ସବୁଜ ବେଲ୍ଟ ଭାବରେ କାର୍ଯ୍ୟ କରୁଛି। ଏହି ପ୍ରାଣୀ ଉଦ୍ୟାନକୁ ପୂର୍ବରୁ ହରିଣ ପାର୍କ ଓ ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ଭାବରେ ନାମିତ କରାଯାଇଥିଲା। ୧୯୮୦ରେ୧୩ ହେକ୍ଟର ଅଞ୍ଚଳରେ ଏହା ପ୍ରତିଷ୍ଠା କରାଯାଇଥିଲା। ବର୍ତ୍ତମାନ ପ୍ରାଣୀ ଉଦ୍ୟାନରେ ୨୭ ଏନ୍‌କ୍ଲୋଜର ସହ ୧୫ ପ୍ରଜାତିର ୩୩୩ ପ୍ରାଣୀ ଅଛନ୍ତି। ସେମାନଙ୍କ ମଧ୍ୟରେ କଲରାପତରିଆ ବାଘ, ଭାଲୁ, ଚୁସିଙ୍ଗା, ପାଇଥନ ଓ ମୟୂର ରହିଛନ୍ତି। ହରିଣ ସଂଖ୍ୟା ସର୍ବାଧିକ ୧୨୩ ଥିବାବେଳେ ଶମ୍ବର ୪୧ ଓ ୫ଟି ଭାଲୁ ଅଛନ୍ତି। ଏଠାରେ ସାଧାରଣ ଜନତାଙ୍କ ପାଇଁ ବନ୍ୟଜନ୍ତୁ ଉପରେ ସଚେତନତା ସହ ଶିକ୍ଷା ପ୍ରଦାନ କେନ୍ଦ୍ର ଭାବରେ କାର୍ଯ୍ୟ କରୁଛି। ଗତ ୧ବର୍ଷ ମଧ୍ୟରେ ଅଧିକ ଶୌଚାଳୟ, ପାନୀୟ ଜଳ, ସ୍ବତନ୍ତ୍ର ପାର୍କିଂ, ଶିଶୁ ପାର୍କ, ଡ୍ରେନେଜ ନିର୍ମାଣ ସହ ଏନ୍‌କ୍ଲୋଜର ଭଳି ସୁବିଧା କରାଯାଇଛି। ଏହାଛଡ଼ା ହୀରାକୁଦ ଡିଭିଜନ କର୍ତ୍ତୃପକ୍ଷ ବନ୍ୟଜନ୍ତୁ ଓ ସଂରକ୍ଷଣ ଉପରେ ପ୍ରତି ଶନିବାର ବିଶେଷଜ୍ଞଙ୍କ ଦ୍ୱାରା ଆଲୋଚନା ସଭା କରିବା ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।

Share