ବୁଗୁଡ଼ାରେ ଗର୍ଜିଲେ ଚାଷୀ

ବୁଗୁଡ଼ା,୧୮।୧୦(ଡି.ଏନ୍‌.ଏ.):ଗଞ୍ଜାମ ଜିଲା ଏନ୍‌ଏସିର ଶତାଧିକ ଚାଷୀ ମଙ୍ଗଳବାର ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ ସ୍ଥାନୀୟ ପ୍ରାଣୀଧନ ଚିକିତ୍ସାଳୟ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପରେ ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କ ଜରିଆରେ ଗଞ୍ଜାମ ଜିଲାପାଳ, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର, ୫-ଟି ସଚିବ, ଆଇଓସିଏଲର ସକ୍ଷମପ୍ରାପ୍ତ ଅଧିକାରୀଙ୍କ ନିକଟକୁ ଏବଂ ବୁଗୁଡା ଥାନା ଅଧିକାରୀଙ୍କ ମାଧ୍ୟମରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରିଥିଲେ। ଆଇଓସିଏଲ ଦ୍ବାରା ପାରାଦ୍ବୀପରୁ ହାଇଦ୍ରାବାଦ ପର୍ଯ୍ୟନ୍ତ ବିଛା ଯାଉଥିବା ପାଇପ୍‌ ଲାଇନ ପାଇଁ ଅଧିକୃତ ଜମିର କ୍ଷତିପୂରଣ ଓ ଫସଲର କ୍ଷତିପୂରଣ ନ ଦେବା ସାଙ୍ଗକୁ ଜମି ସୀମା ନିର୍ଦ୍ଧାରଣ ଓ ସମତୁଲ କରିବାକୁ ଥିବା କାର୍ଯ୍ୟରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ମନମାନିର ପ୍ରତିବାଦରେ କ୍ଷତିଗ୍ରସ୍ତ ଚାଷୀମାନେ ଏହି ଦାବିପତ୍ର ଦେଇଥିଲେ। ଏଥିସହ ଉକ୍ତ ସମସ୍ୟାର ସମାଧାନ ଯଥାଶୀଘ୍ର କରା ନ ଗଲେ କ୍ଷତିଗ୍ରସ୍ତ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ସମ୍ପୃକ୍ତ ଚାଷୀମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ପାଇଁ ଆସନ୍ତା ଗୁରୁବାର ତହସିଲ କାର୍ଯ୍ୟାଳୟରେ ଆଇଓସିଏଲ ଅଧିକାରୀଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଥିବା ନେଇ ତହସିଲଦାର କହିଛନ୍ତି।