ଧୂଳିଧୂଆଁରେ ପଥଚାରୀ ନୟାନ୍ତ

ଯାଜପୁର,୩୦ା୧୨(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଦେଇ ଯାଇଥିବା ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ (ଏନ୍‌ଏଚ୍‌) ସମ୍ପ୍ରସାରଣ କାର୍ଯ୍ୟ ପ୍ରାୟ ୭ ବର୍ଷ ହେବ ଚାଲିଛି। କିନ୍ତୁ ଶିଳ୍ପ ଓ ଲଘୁ ଖଣି କରିଡର ଭାବେ ପରିଚିତ ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର କାମ କେବେ ସରିବ, ସେନେଇ ଚାହିଁ ରହିଛନ୍ତି ଅଞ୍ଚଳବାସୀ। ରାସ୍ତା ନିର୍ମାଣ ନିମନ୍ତେ କାରଖାନାର ବର୍ଜ୍ୟ ପାଉଁଶକୁ ବ୍ୟବହାର କରାଯାଉଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସପିସିବି)ର ବାୟୁ ଓ ଜଳ ପ୍ରଦୂଷଣ ଆଇନକୁ ଏଠାରେ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳିଛି। ଏଥିଯୋଗୁ ପଥଚାରୀ ଏବଂ ଏନ୍‌ଏଚ୍‌ କଡ଼ ଗ୍ରାମବାସୀ ବାୟୁ ପ୍ରଦୂଷଣରେ ନାହିଁ ନ ଥିବାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ବିଶେଷକରି ଟାଟା ଷ୍ଟିଲ ମୁଖ୍ୟ ଗେଟ୍‌ ସମ୍ମୁଖ ରାସ୍ତାରେ ଉଡ଼ୁଥିବା ଧୂଳି ଚିନ୍ତାର କାରଣ ହୋଇଛି। ଠିକାସଂସ୍ଥା ପକ୍ଷରୁ ଓଭରବ୍ରିଜ ନିର୍ମାଣ କାର୍ଯ୍ୟରେ ବିଳମ୍ବ, ଆବଶ୍ୟକ ପାଣି ସିଞ୍ଚନ ନ ହେବା ଏବଂ ପାର୍ଶ୍ୱ ରାସ୍ତା ନିର୍ମାଣ ହୋଇ ନଥିବାରୁ ସ୍ଥିତି ଅତି ଗମ୍ଭୀର ହେଉଥିବା ମତପ୍ରକାଶ ପାଇଛି।

ଟାଟା ଷ୍ଟିଲକୁ ପ୍ରତ୍ୟେହ ଶତାଧିକ ଲୋକ ମୁଖ୍ୟ ଗେଟ୍‌ ଦେଇ ଯାତାୟାତ କରୁଛନ୍ତି। ଏପରିକି ରାଜ୍ୟ ଓ ଦେଶ ବାହାରୁ ଲୋକ ଏଠାକୁ ଯିବା ଆସିବା କରୁଥିବାରୁ ଧୂଳିଧୂଆଁ ଦେଖି ସେମାନଙ୍କ ମଧ୍ୟରେ ନକାରାତ୍ମକ ମନୋଭାବ ସୃଷ୍ଟି ହେଉଛି। ଉକ୍ତ ଗେଟ୍‌ ସମ୍ମୁଖରେ ଏକାଧିକ ଗାଡ଼ କିଛି ସମୟ ଠିଆ ହେଲେ ସେଗୁଡ଼ିକର ରଙ୍ଗ ଧୂସର ହୋଇପଡୁଛି। ଲୋକେ ଗାଡ଼ିରୁ ଓହ୍ଲାଇ କାରଖାନା ଭିତରକୁ ଯିବା ସମୟରେ ବାୟୁ ପ୍ରଦୂଷଣରେ ନୟାନ୍ତ ହୋଇ ପଡୁଛନ୍ତି। ତୁରନ୍ତ ଏହାର ସମାଧାନ କରା ନ ଗଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ପ୍ରଭାବିତ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ, ଠିକା ସଂସ୍ଥା ମନମାନି କରି ପାଉଁଶକୁ ରାସ୍ତାରେ ବିନା ଜଳ ସିଞ୍ଚନରେ ଢାଳୁଛି, ଯଦ୍ଦ୍ବାରା ଉକ୍ତ ରାସ୍ତାରେ ଯାତାୟାତ କରୁଥିବା ଭାରିଯାନ ଏବଂ ବିଶେଷକରି ବାଇକ ଆରୋହୀମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଅଞ୍ଚଳରେ ଥିବା ଦୋକାନ ବଜାରରେ ପାଉଁଶ ଗୁଣ୍ଡ ପଡ଼ି ଏକ ଆସ୍ତରଣ ଜମିଯାଉଛି। ସେଠାରେ ଏତେ ମାତ୍ରାରେ ଧୂଳି ଉଡୁଛି ଯେ ରାସ୍ତାରେ ଯାତାୟାତ କରୁଥିବା ଗାଡ଼ିଗୁଡିକୁ ଲାଇଟ୍‌ ଲଗାଇ ଯିବାକୁ ପଡ଼ୁଛି। ରାସ୍ତାକଡରେ ଖୋଲାଯାଇଥିବା ଗର୍ତ୍ତ ମାସ ମାସ ଧରି ପକାଇ ରଖାଯାଇଛି। ଫଳରେ ଜନସାଧାରଣଙ୍କ ଯାତାୟାତରେ ଘୋର ଅସୁବିଧା ହେଉଛି। ଏହାସହ ସାମାନ୍ୟ ବର୍ଷା ହେଲେ ଖାଲରେ ବର୍ଷାପାଣି ଜମି ପଥଚାରୀଙ୍କ ଚିନ୍ତା ବଢ଼ାଉଛି। ଏ ସଂକ୍ରାନ୍ତରେ ଏନ୍‌ଏଚ୍‌ଏଆଇ ଢେଙ୍କନାଳର ଭାରପ୍ରାପ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜେ.ପି. ବର୍ମାଙ୍କୁ ପଚାରିବାରେ ସେ କହିଛନ୍ତି, ଆବଶ୍ୟକ ତଦନ୍ତ କରି ପଦକ୍ଷେପ ଗ୍ରହଣ କରାଯିବ।