୨ ବର୍ଷ ବିତିଲା, ମିଳିନି ପିଠା ଅର୍ଥ

କଟକ ସଦର, ୧୦ା୫ (ଡି.ଏନ.ଏ.):୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟ ସରକାର ସମସ୍ତ ପଞ୍ଚାୟତରେ ପିଠା (ପିପୁଲ୍‌ସ ଏମ୍‌ପାଓ୍ବାରମେଣ୍ଟ ଏନାବେଲିଂ ଟ୍ରାନ୍ସପରେନ୍ସି ଆଣ୍ଡ ଏନ୍‌ହାନ୍ସିଂ ଆକାଉଣ୍ଟେବିଲିଟି) କାର୍ଯ୍ୟକ୍ରମ ଆୟୋଜନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ କଟକ ସଦର ବ୍ଲକର ୨୩ଟି ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିପାଇଁ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରତି ପଞ୍ଚାୟତରେ ଖର୍ଚ୍ଚ କରାଯିବା ପାଇଁ ୧ଲକ୍ଷ ଟଙ୍କା କରି ମୋଟ୍‌ ୨୩ ଲକ୍ଷ ଟଙ୍କା ୨୦୧୯ ମାର୍ଚ୍ଚରେ କଟକ ସଦର ବ୍ଲକ ଆକାଉଣ୍ଟରେ ଜମା କରିଥିଲେ। ଇତିମଧ୍ୟରେ ୨ ବର୍ଷ ବିତିଯାଇଥିଲେ ମଧ୍ୟ ଉକ୍ତ ଅର୍ଥ ବ୍ଲକ ଆକାଉଣ୍ଟରୁ ପଞ୍ଚାୟତ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଉନାହିଁ। ତେଣୁ ଲୋକାଲ ଫଣ୍ଡ ଅଡିଟ୍‌ ପକ୍ଷରୁ କଟକ ସଦର ବିଡିଓଙ୍କୁ ହାଫ୍‌ ମାର୍ଜିନ ମେମୋ ଜାରି କରାଯାଇ କୈଫିୟତ ମଗାଯାଇଛି। ବ୍ଲକ ଆକାଉଣ୍ଟରେ ଏତେ ଟଙ୍କା ଜମା ରଖିବା ପାଇଁ କିଏ ନିର୍ଦ୍ଦେଶ ଦେଇଥିଲା, ତା’ର ସୂଚନା ଲୋକାଲ ଫଣ୍ଡ ଅଡିଟ୍‌ ଅଫିସର ଜାଣିବାକୁ ଚାହିଁଛନ୍ତି। ପିଠା କାର୍ଯ୍ୟକ୍ରମ ଆୟୋଜନ ପାଇଁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ପତ୍ରସଂଖ୍ୟା ୨୩୪୭୭/୭ା୧୨ା୧୮ରେ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପାଇଁ ପ୍ରଥମ ପର୍ଯ୍ୟାୟରେ ୨୫ ହଜାର, ଦ୍ୱିତୀୟ ପର୍ଯ୍ୟାୟରେ ୫୦ ହଜାର ଓ ତୃତୀୟ ପର୍ଯ୍ୟାୟରେ ୧ ଲକ୍ଷ ଟଙ୍କା ପ୍ରତି ପଞ୍ଚାୟତକୁ ଦିଆଯିବା ପାଇଁ ସରକାରୀ ନିର୍ଦ୍ଦେଶନାମା ରହିଥିଲା। ତଦନୁଯାୟୀ ପ୍ରତି ପଞ୍ଚାୟତକୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟର ଟଙ୍କା ଦିଆଯାଇଛି। ହେଲେ ତୃତୀୟ ପର୍ଯ୍ୟାୟ ବାବଦ ୧ ଲକ୍ଷ ଟଙ୍କା ଲେଖାଏ ଉକ୍ତ ବ୍ଲକର ୨୩ଟି ପଞ୍ଚାୟତକୁ ଦିଆଯାଇନାହିଁ। ଅଭିଯୋଗ ସମ୍ପର୍କରେ ବିଡିଓ ରାଜୀବଲୋଚନ ପରିଡ଼ା କୁହନ୍ତି, ସେ ସମୟରେ ମୁଁ ଦାୟିତ୍ୱରେ ନ ଥିଲି। ତେଣୁ ଏ ସମ୍ପର୍କରେ କିଛି ଜାଣିନି।

Share