ପେଲୋସିଙ୍କୁ ଚାଇନା ମନା

ବେଜିଂ/ଓ୍ବାଶିଂଟନ/ତାଇପେଇ,୬ା୮: ଆମେରିକା ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସ ସ୍ପିକର ନାନ୍ସି ପେଲୋସିଙ୍କ ସଦ୍ୟ ତାଇଓ୍ବାନ୍‌ ଗସ୍ତକୁ ନେଇ କ୍ଷୁବ୍ଧ ଚାଇନା ପ୍ରତିକ୍ରିୟାଶୀଳ ହୋଇଉଠିଛି। ବେଜିଂ ପକ୍ଷରୁ ପେଲୋସି ଓ ତାଙ୍କ ପରିବାର ଉପରେ ଶୁକ୍ରବାର କଟକଣା ଜାରି କରାଯାଇଛି। ଏଥିସହ ଓ୍ବାଶିଂଟନ ସହିତ ପ୍ରତିରକ୍ଷା, ଜଳବାୟୁ ପରିବର୍ତ୍ତନ ଓ ଅନ୍ୟ କେତେକ ପ୍ରସଙ୍ଗରେ ଆଲୋଚନା ବାତିଲ କରିଛି।
ବେଜିଂ ତାଇଓ୍ବାନ୍‌କୁ ଚାଇନା ମୂଳ ଭୂଖଣ୍ଡର ଅଂଶ ଦାବି କରି ପୁନଃ ଦଖଲ ଉଦ୍ୟମ ଚଳାଇଥିବାବେଳେ ୮୨ ବର୍ଷୀୟା ପେଲୋସି ମଙ୍ଗଳବାର ଏହି ଦ୍ୱୀପରାଷ୍ଟ୍ରକୁ ଗସ୍ତ କରିଥିଲେ। ଦୀର୍ଘ ୨୫ ବର୍ଷ ପରେ ଆମେରିକାର ଜଣେ ସର୍ବୋଚ୍ଚ ସ୍ତରର ନେତାଙ୍କ ପ୍ରଥମ ତାଇଓ୍ବାନ ଗସ୍ତକୁ ବେଜିଂ ନିନ୍ଦା କରିଛି। ପେଲୋସିଙ୍କ ଚାଇନା ଗସ୍ତ ଉପରେ କଟକଣା ଜାରି କରିବା ସହ ସୀମାପାର ଅପରାଧ ଓ ବେଆଇନ ପ୍ରବାସ ଉପରେ ସହଯୋଗ ଶେଷ କରିବାକୁ ନିଷ୍ପତ୍ତି ନେଇଛି। ପେଲୋସିଙ୍କ ଗସ୍ତ ଚାଇନାର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ। ଏଥିଯୋଗୁ ଚାଇନାର ସାର୍ବଭୌମତ୍ୱ ଓ କ୍ଷେତ୍ରୀୟ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି ହୋଇଥିବାରୁ ପିପୁଲ୍ସ ରିପବ୍ଲିକ୍‌ ଅଫ୍‌ ଚାଇନାର ଆଇନ ଅନୁସାରେ ପେଲୋସି ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ପେଲୋସିଙ୍କ ତାଇଓ୍ବାନ ଗସ୍ତକୁ ଆଳ କରି ଚାଇନା ସାମରିକ କାର୍ଯ୍ୟାନୁଷ୍ଠାନ ନେଉଥିବା ଆମେରିକା ବହିର୍ବ୍ୟାପାର ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଅଭିଯୋଗ ଆଣିଛନ୍ତି। ଏହା ପୂର୍ବରୁ ଆମେରିକାର ପୂର୍ବତନ ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓଙ୍କ ସମେତ ଟ୍ରମ୍ପ୍‌ ପ୍ରଶାସନର ୨୮ ଅଧିକାରୀଙ୍କ ବିରୋଧରେ ମଧ୍ୟ ଯାତ୍ରା କଟକଣା ଲଗାଇଥିଲା।

Share