ତାଇଓ୍ବାନରେ ପେଲୋସି, ଚାଇନା ରକ୍ତମୁଖା…

ତାଇପେଇ, ୨।୮ : ଚାଇନାର ଧମକକୁ ଖାତିର ନକରି ଆମେରିକା ସ୍ପିକର ନାନ୍ସି ପେଲୋସି ତାଇଓ୍ବାନର ତାଇପେଇ ବିମାନ ବନ୍ଦରରେ ଓହ୍ଲାଇଛନ୍ତି। ଏହାକୁ ନେଇ ଚାଇନା ଏବେ ରକ୍ତମୁଖା ହେବାରେ ଲାଗିଛି। ପେଲୋସିଙ୍କୁ ସ୍ବାଗତ କରିବା ପାଇଁ ତାଇପେଇ ବିମାନ ବନ୍ଦରରେ ତାଇଓ୍ବାନ ସରକାରଙ୍କ ଉଚ୍ଚ ଅଧିକାରୀମାନେ ଉପସ୍ଥିତ ଥିଲେ।

ବିମାନ ବନ୍ଦରରେ ତାଇଓ୍ବାନ ରାଷ୍ଟ୍ରପତି ତାସାଇ ଇଙ୍ଗ୍‌ ଓ୍ବେନ୍‌ ପେଲୋସିଙ୍କୁ ସ୍ବାଗତ କରିଛନ୍ତି। ଚାଇନାର ଧମକକୁ ଦୃଷ୍ଟିରେ ରଖି ତାଇଓ୍ବାନ ଜାପାନଠାରୁ କେତେକ ଯୁଦ୍ଧବିମାନ ଆଣି ମୁତୟନ କରିଛି।

ପେଲୋସିଙ୍କ ସୁରକ୍ଷା ପାଇଁ ୨୨ଟି ବିମାନ ତାଙ୍କ ବିମାନ ଚାରିପଟେ ଉଡ଼ିବୁଲିଥିଲେ। ଗତ ୨୫ ବର୍ଷ ମଧ୍ୟରେ ଏହା କୌଣସି ଆମେରିକୀୟ ଅଧିକାର ପ୍ରଥମ ତାଇଓ୍ବାନ ଗସ୍ତ। ପେଲୋସିଙ୍କ ବିମାନ ସହିତ ୮ଟି ଆମେରିକୀୟ ଯୁଦ୍ଧ ବିମାନ ଏବଂ ଇନ୍ଧନ ବିମାନ ମଧ୍ୟ ଉଡ଼ାଣ ଆରମ୍ଭ କରିଥିଲେ।

ପେଲୋସି ତାଇଓ୍ବାନରେ ପହଞ୍ଚିବା ପରେ ଚାଇନା ପୁଣି ଥରେ ଧମକ ଦେଇଛି। ଚାଇନା କହିଛି ଯେ, ନିଆଁ ସହିତ ଖେଳୁଥିବା ଲୋକେ ନିଜେ ଜଳି ଯାଇଥାନ୍ତି।

Share