ଥରେ ଭାବିଲେ ସବୁ କିଛି ଅଟକାଇ ହେବ ଟଏଲେଟ୍ ଯିବା କ’ଣ କେହି କେବେ ଅଟକାଇ ପାରିବ? ଅଫିସରେ କାମ କରୁଛନ୍ତି, ଆପଣଙ୍କୁ ଟଏଲେଟ୍ ଯିବାକୁ ତ ପଡ଼ିବ କିନ୍ତୁ ଯଦି କେହି ଯିବା ବନ୍ଦ କରିଦିଏ ତେବେ ଅବସ୍ଥା କ’ଣ ହେବ କହିଲେ। ବାସ୍ତବରେ ଏକ ଚାଇନିଜ୍ କମ୍ପାନୀ ଥରକରୁ ଅଧିକ ଟଏଲେଟ୍ ଗଲେ ଜରିମାନା ଦେବାକୁ ପଡ଼ିବ ବୋଲି ସତର୍କ କରାଇ ଦେଇଛି। ଏହି କମ୍ପାନୀ ଏହାର କର୍ମଚାରୀମାନଙ୍କୁ ବିଶ୍ରାମ ଗୃହକୁ ଯିବାକୁ ଅନୁମତି ଦେଇଥାଏ ମାତ୍ର ଏକାଧିକ ଥର ଟଏଲେଟ୍ ଗଲେ ଜରିମାନା ଦେବାକୁ ପଡ଼ିବ ବୋଲି ନିୟମ କରିଛି।
ଦକ୍ଷିଣ ଚାଇନାରେ ଅବସ୍ଥିତ ଏହି କମ୍ପାନୀର ନାମ ଆମ୍ପୁ ଇଲେକ୍ଟ୍ରୋନିକ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି। ଏହି ସ୍ବତନ୍ତ୍ର ନୀତି ସମ୍ପର୍କରେ କମ୍ପାନୀ କହିଛି, ତାଙ୍କ କର୍ମଚାରୀମାନଙ୍କ ଅଳସୁଆ ପଣ ଏବଂ କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଁ ଏପରି କରାଯାଇଛି। କାରଣ ଟଏଲେଟ୍ ବାହାନାରେ କର୍ମଚାରୀମାନେ ଦୀର୍ଘ ସମୟ ସିଟ୍ରେ ବସୁ ନାହାନ୍ତି। ଫଳରେ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ତେଣୁ ଏଥିରୁ ନିବୃତ୍ତ ରହିବାକୁ ଜୋରିମାନା ବ୍ୟବସ୍ଥା କରାଯାଇଛି। ଯଦି କର୍ମଚାରୀ ଏକରୁ ଅଧିକ ଥର ଟଏଲେଟ୍ ଯାଆନ୍ତି ତେବେ ତାଙ୍କୁ ୨୦ ୟୁଆନ୍ ଜରିମାନା ଲାଗିବ।
କମ୍ପାନୀର ମ୍ୟାନେଜର କାଓ କହିଛନ୍ତି ଯେ, କର୍ମଚାରୀଙ୍କଠାରୁ ଜରିମାନା କମ୍ପାନୀ ସେମାନଙ୍କ ମାସିକ ବୋନସ୍ରୁ କାଟୁଛି। ସେ କହିଛନ୍ତି, କମ୍ପାନୀକୁ ଏହି ନିୟମ ଆଣିବାକୁ ପଡ଼ିବ। କାରଣ କିଛି କର୍ମଚାରୀ ଅନେକ ସମୟରେ ଟଏଲେଟ୍ ଯାଇ ସିଗାରେଟ ଟାଣୁଥିଲେ। ମ୍ୟାନେଜମେଣ୍ଟ କର୍ମଚାରୀଙ୍କ ସହ ଅନେକ ଥର କଥା ହୋଇଥିଲେ ମଧ୍ୟ ଏହାର କୌଣସି ପ୍ରଭାବ କର୍ମଚାରୀଙ୍କ ଉପରେ ପଡୁ ନ ଥିଲା। ତେବେ ଏହାକୁ ଆହୁରି କଠୋର କରାଯାଇଛି।