Advertisement
Categories: ଫୁରସତ

ମଶାଠୁ ରକ୍ଷା କରିବ କଙ୍କି ପେଣ୍ଡାଣ୍ଟ

ଏହି କଙ୍କିକୁ ଦେଖି ଇଛା ହେଉଛି କି ପିଲାଦିନେ ଯେମିତି ଲୁଚି ଲୁଚି ଧରୁଥିଲେ ସେମିତି ଧରିବାକୁ? ତେବେ ପ୍ରକୃତ କଥା ହେଉଛି ଏହା କଙ୍କି ନୁହେଁ। ଏହା ଏକ ପେଣ୍ଡାଣ୍ଟ। ଏହାକୁ ଏତେ ନିଖୁଣଭାବେ ତିଆରି କରାଯାଇଛି ଯେ ପେଣ୍ଡାଣ୍ଟଟି ସତସତିକା କଙ୍କି ଭଳି ଲାଗେ। ଏହାକୁ ଜାପାନର କମ୍ପାନୀ ମିକି ଲୋକୋସ୍‌ କର୍ପୋରେସନ ଲିମିଟେଡ୍‌ ତିଆରି କରିଛି। ଉକ୍ତ କମ୍ପାନୀ ଦାବି କରେ ଯେ, ଏହି ହାଇପର୍‌ ରିଆଲିଷ୍ଟିକ୍‌ ପେଣ୍ଡାଣ୍ଟକୁ ପିନ୍ଧିଲେ ମଶା, ଅନ୍ୟ କିଟପତଙ୍ଗ ଓ ପୋକ ପାଖ ମାଡିବେନି। ଦୂରେଇ ରହିବେ। କାରଣ କଙ୍କି ପ୍ରାଣୀଜଗତର ଏକ ହିଂସ୍ରକ କୀଟ, ଯାହା ନିଜ ଶିକାରକୁ ଆଦୌ ଛାଡି ନ ଥାଏ। ତେଣୁ ଅନ୍ୟ କିଟପତଙ୍ଗ କଙ୍କିଠାରୁ ଦୂରେଇ ରୁହନ୍ତି। କହିବାକୁଗଲେ ଏହା ଏକପ୍ରକାରର ମସ୍କିଟୋ ରିପେଲାଣ୍ଟ। ଏହାକୁ ବେକରେ ଅବା ବାହାରକୁ ଭଲଭାବେ ଦେଖାଯାଉଥିବା ଭଳି ପିନ୍ଧିବାକୁ ହେବ। ଫଳରେ ମଶା ଓ ଅନ୍ୟ କିଟପତଙ୍ଗ ଆକ୍ରମଣରୁ ରକ୍ଷା ପାଇପାରିବେ। ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ମସ୍କିଟୋ ରିପେଲିଂ ସଲ୍ୟୁସନ୍‌ରେ ଅନେକ ପ୍ରକାରର ରାସାୟନିକ ପଦାର୍ଥ ମିଶିଥାଏ, ଯାହାକୁ ବ୍ୟବହାର କଲେ ପାର୍ଶ୍ୱ ପ୍ରତିକ୍ରିୟା ପଡିବାର ଆଶଙ୍କା ଥାଏ। ହେଲେ ଏହି ପେଣ୍ଡାଣ୍ଟର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ନିର୍ଭୟରେ ଏହାକୁ ବ୍ୟବହାର କରିହେବ। ଉକ୍ତ କଙ୍କି ମସ୍କିଟୋ ରିପେଲାଣ୍ଟଟି ପିଭିସିରେ ତିଆରି। ଏହାର ଲମ୍ବ ୧୦୦ ମି.ମି ଓ ଡେଣା ପ୍ରସାରିତ କଲେ ଏହା ୧୩୦ ମି.ମି. ଲମ୍ବ ହୁଏ। ଏହାକୁ କେବଳ ପେଣ୍ଡାଣ୍ଟଭାବେ ନୁହେଁ ଏଥିରେ ଥିବା କ୍ଲିପ୍‌କୁ ବ୍ୟବହାର କରି ଏହାକୁ ହ୍ୟାଟ୍‌, ପ୍ୟାଣ୍ଟ ପକେଟ, ବ୍ୟାକ୍‌ପ୍ୟାକ୍‌ ଆଦି ସ୍ଥାନରେ ବି ଲଗାଇହେବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share