ଉପେନ୍ଦ୍ର ତ୍ରିପାଠୀ ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ଉପଦେଷ୍ଟା

ଭୁବନେଶ୍ୱର,୩।୮(ବ୍ୟୁରୋ): ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଉପେନ୍ଦ୍ର ତ୍ରିପାଠୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ଉପଦେଷ୍ଟା ତଥା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ଏଥିପାଇଁ ତାଙ୍କୁ ରାଜ୍ୟ ମନ୍ତ୍ରୀ ଭଳି ସମସ୍ତ କ୍ଷମତା ଓ ସୁବିଧା ସୁଯୋଗ ମିଳିବ। ବର୍ତ୍ତମାନ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା (ଶିକ୍ଷା) ଭାବେ କାର୍ଯ୍ୟ କରୁଛନ୍ତି ।
ଉପେନ୍ଦ୍ର ୧୯୮୦ ବ୍ୟାଚ୍‌ କର୍ନାଟକ କ୍ୟାଡର ଆଇଏଏସ୍‌ ଅଫିସର। ପୂର୍ବରୁ ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ନେଇ ତାଙ୍କର ଅଭିଜ୍ଞତା ରହିଛି । କର୍ନାଟକରେ ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ସେ ପୂର୍ବରୁ କାର୍ଯ୍ୟ କରିଛନ୍ତି । ସେ ଭାରତ ସରକାରଙ୍କ ଅକ୍ଷୟଶକ୍ତି ମନ୍ତ୍ରଣାଳୟରେ ସଚିବ ଦାୟିତ୍ୱ ତୁଲାଇଛନ୍ତି। ଏଥିସହିତ ସେ ବ୍ରସେଲ୍‌ସରେ ଥିବା ଭାରତୀୟ ଦୂତାବାସରେ ଉପଦେଷ୍ଟା (କୃଷି ଓ ସାମୁଦ୍ରିକ ଉତ୍ପାଦ) ଭାବେ କାର୍ଯ୍ୟ କରିଛନ୍ତି।
ଏଠାରେ ସୂଚନା ଯୋଗ୍ୟ, ଗତ ଜୁନ୍‌ ୩ ତାରିଖରେ ତତ୍କାଳୀନ ଉପଦେଷ୍ଟା ବିଜୟ କୁମାର ସାହୁଙ୍କ କରୋନାରେ ଦେହାନ୍ତ ହୋଇଥିଲା। ସେବେଠାରୁ ଏହି ପଦବୀ ଖାଲି ପଡ଼ିଥିଲା।

Share