କାମାକ୍ଷାନଗର,୯ା୧୨(ଅମଜାଦ ଖାନ)ରାତି ହେଲେ ଢାଉଁ ଢାଉଁ ବାଜୁଛି ଟିଣ। ହୁ ହୁ ହୋଇ ଜଳୁଛି ଟାୟାର ନିଆଁ। ପେଁକାଳିର ପେଁ ପାଁ ଶବ୍ଦରେ କମ୍ପୁଛି ଗାଁ ପାଖ ଧାନ ଖେତ। ହାତୀ, ବାର୍ହା ଆଦି ଜଙ୍ଗଲୀ ପ୍ରାଣୀଙ୍କ ମୁହଁରୁ ବର୍ଷକର ଫସଲ ବଞ୍ଚାଇବାକୁ ରାତି ଉଜାଗର ହୋଇ ଏମିତି ଉଦ୍ୟମ ଚଳାଇଛନ୍ତି ଢେଙ୍କାନାଳ ଜିଲା କାମାକ୍ଷାନଗର ଓ କଙ୍କଡ଼ାହାଡ଼ ବ୍ଲକର ଅନେକ ଚାଷୀ। ବିଶେଷକରି ରାତିରେ ପେଁକାଳିର ବିକଟାଳ ଶବ୍ଦ ଏ କ୍ଷେତ୍ରରେ ସେମାନଙ୍କୁ ଅଧିକ ସଫଳତା ଦେଉଥିବା ଚାଷୀମାନେ ପ୍ରକାଶ କରିଛନ୍ତି।
ପ୍ରକାଶ ଯେ, କାମାକ୍ଷାନଗର ଉପଖଣ୍ଡ ଅଧୀନ କାମାକ୍ଷାନଗର ଓ କଙ୍କଡ଼ାହାଡ଼ ବ୍ଲକର ଜଙ୍ଗଲ ନିକଟ ଗାଁଗୁଡିକରେ ଜଙ୍ଗଲୀ ପ୍ରାଣୀଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଏବେ ଫସଲ ଅମଳ ଋତୁ ହୋଇଥିବାରୁ ବିଲରେ ପାଚିଥିବା ଧାନ ଖାଇବାକୁ ଦଳ ଦଳ ହାତୀ ଓ ବାର୍ହା ଖେତମୁହାଁ ହେଉଛନ୍ତି। ବନ ବିଭାଗ ହାତୀ ପଲଙ୍କୁ ଘଉଡ଼ାଇବାରେ ସମ୍ପୂର୍ଣ୍ଣ ସଫଳ ହେଉ ନ ଥିବାରୁ ବାଧ୍ୟ ହୋଇ ଚାଷୀମାନେ ବର୍ଷକର ଆହାର ରକ୍ଷା କରିବାକୁ ଜମି ନିକଟରେ ପଲା ମାରି ରାତିରେ ଜଗି ରହୁଛନ୍ତି। ହାତୀ ଓ ବାର୍ହା ଯେପରି ଖେତ ପାଖକୁ ନ ଆସିବେ ସେଥିପାଇଁ ଚାଷୀମାନେ ଆଣିଥିବା ଟିଣକୁ ଜୋର୍ରେ ବଜାଉଛନ୍ତି। ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ପେଁକାଳି ଫୁଙ୍କୁଛନ୍ତି। ଟାୟାରରେ ନିଅଁା ଲଗାଇ ନିଜ ଉପସ୍ଥିତି ଜାହିର କରୁଛନ୍ତି। ଏ ସମ୍ପର୍କରେ କାମାକ୍ଷାନଗର ବ୍ଲକ ଆଳତୁମା ଗ୍ରାମର ଚାଷୀ ହିମାଦ୍ରି ଦାସ, ଗନ୍ଧୁରୁ ରାଉଳ, ପଞ୍ଚାନନ ଜେନା, ଟୁଲୁ ଜେନା, ଗୋବର୍ଦ୍ଧନ ରାଉଳ, କଙ୍କଡ଼ାହାଡ଼ ବ୍ଲକ ଗଡ଼ପଳାଶୁଣିର ଚାଷୀ ସ୍ବାଧୀନ କୁମାର ସାହୁ କହିଛନ୍ତି, ରାତି ଉଜାଗର ହୋଇ ଖେତ ନ ଜଗିଲେ ବର୍ଷକର ପରିଶ୍ରମ ବୃଥା ହୋଇଯିବ। ଧାର କରଜ କରି କରିଥିବା ଫସଲ ଉଜୁଡ଼ିଯିବ। ପରିବାର ମୁହଁରେ ଆହାର ଦେବା କଷ୍ଟକର ହୋଇପଡ଼ିବ। ତେଣୁ ଜୀବନ ପ୍ରତି ବିପଦ ଥିବା ଜାଣି ମଧ୍ୟ ଜଙ୍ଗଲୀ ପ୍ରାଣୀଙ୍କ ଦାଉରୁ ଫସଲକୁ ସୁରକ୍ଷା ଦେବାକୁ ଏପରି ପନ୍ଥା ଆପଣାଇବାକୁ ବାଧ୍ୟ ହେଉଛୁ।
ଏ ସମ୍ପର୍କରେ ପଶ୍ଚିମାଞ୍ଚଳ ରେଞ୍ଜର କୈଳାସ ଚନ୍ଦ୍ର ସାହୁ କହିଛନ୍ତି, ହାତୀ ସ୍କ୍ବାଡ୍ ଓ ପାଟ୍ରୋଲିଂ ଟିମ୍ ଦ୍ୱାରା ନିୟମିତ ଭାବରେ ପାଟ୍ରୋଲିଂ କରାଯାଉଛି। ଜିପିଏସ୍ ମାଧ୍ୟମରେ ଟ୍ରାକିଂ କରି ହାତୀପଲଙ୍କ ଗତିବିଧି ଉପରେ ନଜର ରଖାଯାଉଛି। ବାର୍ହା ପଲଙ୍କୁ ଘଉଡ଼ାଇବା ପାଇଁ ଗ୍ରାମ ଜଙ୍ଗଲ କମିଟି ସହାୟତାରେ ଟିମ୍ ଗଠନ କରାଯାଇଛି। ଏହାସତ୍ତ୍ୱେ ଯଦି ଫସଲ ନଷ୍ଟ ହେଉଥାଏ, ତା’ହେଲେ ନିୟମାନୁଯାୟୀ କ୍ଷତିପୂରଣ ଦିଆଯିବ।