ଭଦ୍ରକ ଅଫିସ,୮।୫: ଦିନେ ଯେଉଁ ସ୍କୁଲରେ ସେ ପଢ଼ୁଥିଲେ, ତାହାର ଉନ୍ନତି ପାଇଁ ନିଜର ପେନ୍ସନ ଟଙ୍କା ଦାନ କରିଛନ୍ତି। ବିଦ୍ୟାଳୟର ବିକାଶ ନିମନ୍ତେ ପେନ୍ସନ ଟଙ୍କାରୁ ୧ ଲକ୍ଷ ସହାୟତା ପ୍ରଦାନ କରି ଏବେ ଚର୍ଚ୍ଚାରେ ରହିଛନ୍ତି ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ବାହାରିବିଲ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ପରମାନନ୍ଦ ନାୟକ(୭୯)। ସେ ଏହି ବ୍ଲକର ଧୂଷୁରୀ ସରକାରୀ ଉଚ୍ଚ ବିଦ୍ୟାଳୟକୁ ମୋ ସ୍କୁଲ ଅଭିଯାନରେ ଟଙ୍କା ଦାନ କରିଛନ୍ତି।
ପରମାନନ୍ଦ ଧୂଷୁରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ିଥିଲେ। ସେଠାରୁ ପଢ଼ା ଶେଷ ପରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ତା’ପରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ଏହି ବ୍ଲକର ଗୋପବନ୍ଧୁନଗର ହାଇସ୍କୁଲରେ ଶିକ୍ଷକତା କରି ୨୦୦୩ରେ ଅବସର ନେଇଥିଲେ। ସେ କହନ୍ତି, ଧୂଷୁରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢ଼ିବା ବେଳେ ବିଭିନ୍ନ ଅଭାବ ଅନୁଭବ କରିଥିଲେ। ସେହି ଅଭାବକୁ ଦୂର କରିବା ପାଇଁ ଭାବିଥିଲେ। ୫-ଟି ଯୋଜନାରେ ଏହି ସ୍କୁଲ ସାମିଲ ହୋଇ ନ ଥିବାରୁ ସ୍ମାର୍ଟ କ୍ଲାସରୁମ୍ ତଥା ଅନ୍ୟାନ୍ୟ ସୁବିଧା ସୁଯୋଗରୁ ପିଲାମାନେ ବଞ୍ଚତ୍ତ ହୋଇଛନ୍ତି। ଏଣୁ ଏହି ବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମ୍ ପାଇଁ ସେ ଏଭଳି ପଦକ୍ଷେପ ନେଇଛନ୍ତି। ଏଥିପାଇଁ ସେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିଥିଲେ। ଶନିବାର କାର୍ଯ୍ୟାଳୟକୁ ଆସି ଜିଲାପାଳଙ୍କ ଜରିଆରେ ଉକ୍ତ ସ୍କୁଲକୁ ୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ତାଙ୍କର ଏହି ବଦାନ୍ୟତା ପାଇଁ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ମହାନ୍ତିଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଓ ପରିଚାଳନା କମିଟି ସଦସ୍ୟ କୃତଜ୍ଞତା ଜଣାଇଛନ୍ତି।