ମୃତ ବ୍ୟକ୍ତିଙ୍କ ନାମରେ ଆସୁଛି ଭତ୍ତା ଟଙ୍କା

କାଏମା,୨ା୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ପାଟପୁର ପଞ୍ଚାୟତରେ ଭତ୍ତା ଟଙ୍କା ବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏଠାରେ ବର୍ଷ ବର୍ଷ ଧରି ମୃତବ୍ୟକ୍ତିଙ୍କ ନାମରେ ଆସୁଛି ଭତ୍ତା ଟଙ୍କା। ଏହି ପଞ୍ଚାୟତରେ ପାଖାପାଖି ୭୦୦ ହିତାଧିକାରୀ ଭତ୍ତା ପାଉଛନ୍ତି। ସେଥି ମଧ୍ୟରୁ ୨୦୦ ହିତାଧିକାରୀଙ୍କ ଇନ୍ଦିରା ଗାନ୍ଧୀ ଭତ୍ତା ଡିବିଟି ମଧ୍ୟମରେ ସେମାନଙ୍କ ବ୍ୟାଙ୍କ ଖାତାକୁ ଆସୁଛି। ଅନ୍ୟ ହିତାଧିକାରୀ ମଧୁବାବୁ ପେନସନ ଯୋଜନାରେ ହାତରେ ଟଙ୍କା ନେଉଛନ୍ତି। ପଞ୍ଚାୟତରେ ଅନେକ ହିତାଧିକାରୀଙ୍କ ମୃତ୍ୟୁକୁ ବର୍ଷେ ଉପରେ ବିତି ଯାଇଥିଲେ ମଧ୍ୟ ସେମାନଙ୍କ ଭତ୍ତା ଟଙ୍କା ଆସୁଛି କିପରି ଓ ତାହାକୁ କିଏ ଉଠାଉ ନେଉଛନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସେହିପରି ଉକ୍ତ ପଞ୍ଚାୟତରେ ୧,୧୦୦ରୁ ଊର୍ଦ୍ଧ୍ୱ ରାଶନ କାର୍ଡଧାରୀ ଥିବାବେଳେ ସେମାନଙ୍କ ପରିବାର ସଦସ୍ୟ ଏହା ସହ ଯୋଡ଼ି ହୋଇଛନ୍ତି। ଏହି କାର୍ଡଧାରୀଙ୍କ ପରିବାରରେ ଥିବା ଯୁବତୀମାନେ ବିବାହ କରି ସାରିଥିଲେ ମଧ୍ୟ ସେମାନଙ୍କ ନାମ ରାଶନ କାର୍ଡରୁ କଟିପାରୁନାହିଁ। ଫଳରେ ସେମାନେ ଏହି ପଞ୍ଚାୟତରୁ ମଧ୍ୟ ରାଶନ ଚାଉଳ ପାଉଛନ୍ତି। ଏହି ଘଟଣାକୁ ପାଟପୁର ସରପଞ୍ଚ ସାରାଣୀ ନାୟକଙ୍କ ପ୍ରତିନିଧି ଦଃଶାସନ ନାୟକ ସ୍ବୀକାର କରି ଜଣେ ଅଧେ ଭୁଲରେ ଚାଉଳ ନେଉଥିବା କହିଛନ୍ତି। ଏ ସମ୍ପର୍କରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ଞାନେନ୍ଦ୍ରୟ ଶତପଥୀଙ୍କୁ ପଚାରିବାରେ ସେ କିଛି ଜାଣି ନ ଥିବା କହିଛନ୍ତି। ଏହା ଉପରେ ଉପରିସ୍ଥ ଅଧିକାରୀ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି।