କଟରେ କେନ୍ଦ୍ରର ଏନ୍ଡିଏ ସରକାର ତାଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀମାନଙ୍କ ପାଇଁ ଏକ ନୂତନ ପେନ୍ସନ ଯୋଜନାର ଘୋଷଣା କରିଛନ୍ତି। ଏକୀକୃତ ପେନ୍ସନ ଯୋଜନା ବା ୟୁପିଏସ୍ ନାଁରେ ପରିଚିତ ଏହି ଯୋଜନା ଫଳରେ ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ ୨୩ ଲକ୍ଷ କର୍ମଚାରୀ ଉପକୃତ ହେବେ ଏବଂ ଏ ବାବଦରେ ବାର୍ଷିକ ୬୨୫୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଛି। ଅନ୍ୟପଟେ ପୁରୁଣା ପେନ୍ସନ ଯୋଜନାକୁ ପୁଣିଥରେ ଲାଗୁ ନ କରି ସରକାର ଯେଉଁ ୟୁପିଏସ୍ ଆଣିଛନ୍ତି, ତାହା ଓପିଏସ୍ ଦାବି କରୁଥିବା ଦେଶର ଲକ୍ଷ ଲକ୍ଷ କର୍ମଚାରୀଙ୍କ ପ୍ରତି ପ୍ରତାରଣା ସଦୃଶ ବୋଲି ବିଭିନ୍ନ ଶ୍ରମିକ ଓ କର୍ମଚାରୀ ସଂଗଠନ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇବା ଦେଖିବାକୁ ମିଳିଛି।
ଉଲ୍ଲେଖଯୋଗ୍ୟ, ଅର୍ଥନୈତିକ ଉଦାରୀକରଣ ନାଁରେ ୨୦୦୪ ରେ କେନ୍ଦ୍ରର ତତ୍କାଳୀନ ଏନ୍ଡିଏ ସରକାର ନୂଆ ପେନ୍ସନ ଯୋଜନା(ଏନ୍ପିଏସ୍)କୁ ସର୍ବପ୍ରଥମେ ଆରମ୍ଭ କରିଥିଲେ। ପରେ ମନମୋହନ ସିଂଙ୍କ ନେତୃତ୍ୱରେ ଉପା ସରକାର ଏହାକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିଥିଲେ। ପରବର୍ତ୍ତୀ ସମୟରେ କେବଳ କେରଳ ଓ ପଶ୍ଚିମବଙ୍ଗକୁ ଛାଡ଼ିଦେଲେ ଦଳମତ ନିର୍ବିଶେଷରେ ଦେଶର ସମସ୍ତ ରାଜ୍ୟ ସରକାର ମଧ୍ୟ ନିଜ ନିଜ ରାଜ୍ୟରେ ଏହି ଯୋଜନାକୁ ଲାଗୁ କରିଥିଲେ। ସରକାରୀ ଖର୍ଚ୍ଚକୁ କମାଇବା ନାଁରେ ସରକାର କର୍ମଚାରୀମାନଙ୍କ ପେନ୍ସନ ବାବଦରେ ହେଉଥିବା ଖର୍ଚ୍ଚର ବୋଝକୁ କମାଇବା ପାଇଁ ଏବଂ କର୍ମଚାରୀଙ୍କ ଉପରେ ଏହାର ଏକ ଭାଗକୁ ଲଦିବା ଲାଗି ଏହି ଯୋଜନା ଆଣିଥିଲେ।
ଏନ୍ପିଏସ୍ ନେଇ ଦେଶସାରା ସରକାରୀ କର୍ମଚାରୀଙ୍କ ମଧ୍ୟରେ ଭୟଙ୍କର ଅସନ୍ତୋଷ ରହିଆସିଛି। ସେମାନେ ‘ପୁରୁଣା ପେନ୍ସନ ପାଇଁ ଜାତୀୟ ଆନ୍ଦୋଳନ’ ନାଁରେ ଏକ ମଞ୍ଚ ଜରିଆରେ ଲଗାତାର ଭାବେ ଏନ୍ପିଏସ୍ ବଦଳରେ ଓପିଏସ୍ ଲାଗୁ କରିବାକୁ ଦାବି କରିଆସିଛନ୍ତି। ଗତ ୨୧ ବର୍ଷ ମଧ୍ୟରେ ସବୁ ସରକାର କିନ୍ତୁ ସେମାନଙ୍କ ଏହି ଦାବିକୁ ମାନିବାକୁ ମନାକରି ଆସିଛନ୍ତି। ଓପିଏସ୍ ଲାଗୁକଲେ ପେନ୍ସନ ବାବଦରେ ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ ହେବ, ଯାହାକୁ ଭରଣା କରିବା ସମ୍ଭବ ନୁହେଁ ବୋଲି କହିଆସିଛନ୍ତି। କିନ୍ତୁ କର୍ମଚାରୀମାନଙ୍କ ବର୍ଦ୍ଧିତ ଅସନ୍ତୋଷ ଓ ରାଜନୈତିକ ପରିସ୍ଥିତିକୁ ଦେଖି କେନ୍ଦ୍ର ସରକାର ଏ ଦିଗରେ ପଛକୁ ଫେରିବାକୁ ବାଧ୍ୟ ହୋଇଛନ୍ତି।
୨୦୦୪ ପର୍ଯ୍ୟନ୍ତ ଆମ ଦେଶରେ କେବଳ ପୁରୁଣା ପେନ୍ସନ ଯୋଜନା(ଓପିଏସ୍) ହିଁ ରହିଥିଲା। ଏଥିରେ ଜଣେ ସରକାରୀ କର୍ମଚାରୀକୁ ତା’ର ଅବସର ପରେ ଶେଷ ଦରମାର ଅର୍ଦ୍ଧେକ ପାଖାପାଖି ପେନ୍ସନ ଆକାରରେ ମିଳିଥାଏ। ଦରମା ପରି ପେନ୍ସନ ମଧ୍ୟ ମହଙ୍ଗା ଭତ୍ତା ସହ ଯୋଡ଼ାଯିବା ଯୋଗୁ ବୟସ ବୃଦ୍ଧି ସହିତ ପେନ୍ସନ ରାଶିରେ ମଧ୍ୟ ନିୟମିତ ବୃଦ୍ଧି ହେଉଥାଏ। ଏପରିକି ସମ୍ପୃକ୍ତ ପେନ୍ସନଧାରୀର ମୃତ୍ୟୁ ପରେ ତା’ ପରିବାର ପାଇଁ ପାରିବାରିକ ପେନ୍ସନର ବ୍ୟବସ୍ଥା ଏଥିରେ ରହିଛି। ବଡ଼କଥା ହେଲା, ପେନ୍ସନ ବାବଦରେ କର୍ମଚାରୀଟିକୁ ନିଜ ଦରମାରୁ କୌଣସି ରାଶି ଦେବାକୁ ପଡ଼ି ନ ଥାଏ। କିନ୍ତୁ ଏନ୍ପିଏସ୍ର ପ୍ରଚଳନ ପରେ କର୍ମଚାରୀଙ୍କୁ ପ୍ରତିମାସରେ ସେମାନଙ୍କ ମୂଳ ଦରମାର ୧୦% ରାଶି ପେନ୍ସନ ବାବଦରେ କାଟି ରଖିବାର ବ୍ୟବସ୍ଥା ରହିଲା। ସରକାର ସେଥିରେ ନିଜର ୧୪% ରାଶି ମିଶାଇ ସମ୍ପୃକ୍ତ କର୍ମଚାରୀର ପେନ୍ସନ ଫଣ୍ଡ୍ରେ ଜମା ରଖିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୋଟ ୯୯,୭୭,୧୬୫ କର୍ମଚାରୀଙ୍କ ପେନ୍ସନ ଫଣ୍ଡ୍ ବାବଦରେ ଏଯାଏ ୧୦,୫୩,୮୫୦ କୋଟି ସରକାରଙ୍କ ପିଏଫ୍ଆର୍ଡିଏ ପାଖରେ ଜମା ରହିଛି।
ତେବେ ଏନ୍ପିଏସ୍ରେ କିନ୍ତୁ ଅବସର ପରେ କୌଣସି ନିଶ୍ଚିତ ରାଶି ପେନ୍ସନ ବାବଦରେ ମିଳିବାର ବ୍ୟବସ୍ଥା ରହିଲାନି। କେବଳ ଚାକିରିକାଳରେ ପେନ୍ସନ ଫଣ୍ଡ୍ରେ ଜମାଥିବା ରାଶିର ୬୦%କୁ ସମ୍ପୃକ୍ତ କର୍ମଚାରୀଙ୍କୁ ତାଙ୍କ ଅବସର ନେବା ବେଳେ ନଗଦ ଆକାରରେ ଦିଆଯିବା ସହ ବଳକା ୪୦% ରାଶି ସରକାର ସେୟାର ବଜାରରେ ବିନିଯୋଗକରି ସେ ବାବଦରେ ଯେଉଁ ଲାଭ ଆସିବ ତାକୁ ମାସିକ ପେନ୍ସନ ଆକାରରେ ଦିଆଯିବାର ବ୍ୟବସ୍ଥା ରଖିଲେ। ପୂର୍ବ ଯୋଜନା ଭଳି ଏଥିରେ ପେନ୍ସନ ରାଶି ସହ ମହଙ୍ଗା ଭତ୍ତାକୁ ଯୋଡ଼ା ନ ଯିବା ଫଳରେ ମହଙ୍ଗା ଦର ଅନୁସାରେ ପେନ୍ସନ ରାଶିରେ କୌଣସି ବୃଦ୍ଧି ନ ହୋଇ ତାହା ଏକ୍ଦମ ସ୍ଥିର ରହିଲା। ଆଜି ଏନ୍ପିଏସ୍ଭୁକ୍ତ ଯେଉଁ କର୍ମଚାରୀମାନେ ଅବସର ପରେ ପେନ୍ସନ ପାଉଛନ୍ତି, ସେମାନଙ୍କ ପେନ୍ସନ ରାଶି ଅତ୍ୟନ୍ତ ନଗଣ୍ୟ।
ଏନ୍ପିଏସ୍ ବଦଳରେ ଓପିଏସ୍ର ପ୍ରଚଳନ ଦାବିରେ ଦେଶର କର୍ମଚାରୀମାନେ ଦାବି କରିଆସୁଥିବା ବେଳେ କେନ୍ଦ୍ର ସରକାର ଏବେ ୟୁପିଏସ୍କୁ ଆଣିଛନ୍ତି। ଏନ୍ପିଏସ୍ରେ ସଂସ୍କାର ନାଁରେ କେନ୍ଦ୍ର ସରକାର ଗତ ଏପ୍ରିଲ ୨୦୨୩ରେ ତତ୍କାଳୀନ ଅର୍ଥ ସଚିବ ଟି.ଭି. ସୋମାନାଥନ୍ଙ୍କ ଅଧ୍ୟକ୍ଷତାରେ ଯେଉଁ ଚାରିଜଣିଆ କମିଟି ଗଠନ କରିଥିଲେ, ତାରି ରିପୋର୍ଟ ଆଧାରରେ ୟୁପିଏସ୍ ଅଣାଯାଇଛି ବୋଲି କୁହାଯାଇଛି। କିନ୍ତୁ କମିଟିର ଏହି ରିପୋର୍ଟ ଏକପାଖିଆ ମନେହୁଏ। କାରଣ ଓପିଏସ୍ ଦାବି ନେଇ ଲଢ଼େଇ କରୁଥିବା ସଙ୍ଗଠନମାନଙ୍କର ମତାମତ ନେବାକୁ ଆଦୌ ଚେଷ୍ଟା କରାଯାଇନି। ତେବେ ଆଂଶିକ ହେଲେ ବି ସରକାରଙ୍କ ଏହି ଘୋଷଣା ଦେଶର ସରକାରୀ କର୍ମଚାରୀମାନଙ୍କ ଦୀର୍ଘଦିନ ସଂଗ୍ରାମର ବିଜୟ ବୋଲି କୁହାଯାଇପାରେ। ଗତ ୨୧ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ କେନ୍ଦ୍ର ସରକାର ଏନ୍ପିଏସ୍ ନେଇ ରହିଥିବା ନିଜର ସ୍ଥିତିରୁ ପଛକୁ ହଟି କର୍ମଚାରୀମାନଙ୍କ ଦାବିକୁ କିଛି ପରିମାଣରେ ମାନିବାକୁ ବାଧ୍ୟ ହୋଇଛନ୍ତି। ଯଦିଓ ଏଥିରେ ଓପିଏସ୍ରେ ଥିବା ମହଙ୍ଗା ଭତ୍ତା ସଂଲଗ୍ନିତ ମାସିକ ନିଶ୍ଚିତ ପେନ୍ସନ ପରି କିଛି ବ୍ୟବସ୍ଥାକୁ ସ୍ଥାନ ଦିଆଯାଇଛି କିନ୍ତୁ ଏନ୍ପିଏସ୍ର ଅନେକ କର୍ମଚାରୀ ବିରୋଧୀ ବ୍ୟବସ୍ଥାକୁ ଅବ୍ୟାହତ ରଖାଯାଇଛି।
ଓପିଏସ୍ରେ ଜଣେ କର୍ମଚାରୀ ୨୦ ବର୍ଷ ଚାକିରି କଲେ ପୂର୍ଣ୍ଣ ପେନ୍ସନ ପାଇବାକୁ ହକ୍ଦାର ଥିବାବେଳେ ୟୁପିଏସ୍ରେ ଜଣେ ୨୫ ବର୍ଷ ଚାକିରି କଲେ ହିଁ ପୂର୍ଣ୍ଣ ପେନ୍ସନ ପାଇବାକୁ ଯୋଗ୍ୟ ହେବେ ବୋଲି କୁହାଯାଇଛି। ସର୍ବନିମ୍ନ ୧୦ ବର୍ଷ ଚାକିରି କଲେ ହିଁ ଜଣେ ସର୍ବନିମ୍ନ ୧୦ ହଜାର ଟଙ୍କା ପେନ୍ସନ ପାଇପାରିବେ। ଉଲ୍ଲେଖଯୋଗ୍ୟ ଯେ, ଅନେକ ଗୁଡ଼ିଏ ସରକାରୀ ପଦବୀ ପାଇଁ ସର୍ବୋଚ୍ଚ ଆୟୁସୀମା ୪୦ ବର୍ଷ ରହିଛି। ସଂରକ୍ଷିତ ବର୍ଗର କର୍ମଚାରୀମାନଙ୍କ ପାଇଁ ନିଯୁକ୍ତିର ସର୍ବାଧିକ ବୟସ ୪୫ ବର୍ଷ ଓ ୟୁପିଏସ୍ସି ପାଇଁ ୩୭ ବର୍ଷ ରହିଛି। ଅତଏବ ଏହି ବର୍ଗର ଅନେକ କର୍ମଚାରୀ ପୂରା ପେନ୍ସନ ପାଇବା ପାଇଁ ଯେଉଁ ୨୫ ବର୍ଷର ଚାକିରି କାଳର ଆବଶ୍ୟକତା ରହିଛି, ତାକୁ ପୂରଣ କରିପାରିବେ ନାହିଁ। ସେହିପରି ସିଆର୍ପିଏଫ୍, ବିଏସ୍ଏଫ୍ ପରି ଅର୍ଦ୍ଧସାମରିକ ବାହିନୀରେ କାର୍ଯ୍ୟରତ ଯବାନମାନେ ସାଧାରଣତଃ ଚାକିରିର ୨୫ ବର୍ଷ ପୂର୍ବରୁ ଅବସର ନେଉଥିବାରୁ ସେମାନେ ବି ଏହି ଯୋଜନାରେ ପୂର୍ଣ୍ଣ ପେନ୍ସନ ପାଇବାରୁ ବଞ୍ଚତ୍ତ ହେବେ।
ଏନ୍ପିଏସ୍ ପରି ୟୁପିଏସ୍ରେ ମଧ୍ୟ କର୍ମଚାରୀମାନଙ୍କୁ ନିଜ ଦରମାରୁ ୧୦% ରାଶି ପ୍ରତିମାସରେ ଦେବାକୁ ହେବ। ସରକାର ସେଥିରେ ପୂର୍ବରୁ ନିଜର ଅଂଶ ଭାବେ ୧୪% ଯୋଡ଼ୁଥିବା ବେଳେ ବର୍ତ୍ତମାନ ୧୮.୫% ଯୋଡ଼ିବେ ବୋଲି କୁହାଯାଇଛି। କିନ୍ତୁ ଏନ୍ପିଏସ୍ରେ ନିଜର ଚାକିରି ଶେଷରେ କର୍ମଚାରୀଟି ନିଜ ପେନ୍ସନ ଫଣ୍ଡ୍ରେ ଜମାଥିବା ମୋଟ ରାଶିର ୬୦% ପାଇପାରୁଥିବା ବେଳେ ୟୁପିଏସ୍ରେ ତାହା ବି ମିଳିବାର ସମ୍ଭାବନା ନାହିଁ। କେବଳ ତାକୁ ତା’ର ଶେଷ ଏକବର୍ଷର ହାରାହାରି ଦରମାର ଅଧାରାଶି ହିଁ ମିଳିବ। ବଳକା ରାଶି ସରକାରଙ୍କ ପାଖକୁ ଚାଲିଯିବ। ଏହା ଜଣେ କର୍ମଚାରୀର କଷ୍ଟାର୍ଜିତ ଆୟର ଲୁଟ୍ ବୋଲି କୁହାଯାଇପାରେ। ପୁରୁଣା ପେନ୍ସନ ତୁଳନାରେ ୟୁପିଏସ୍ରେ କର୍ମଚାରୀଙ୍କୁ ଗ୍ରାଚ୍ୟୁଇଟି ବାବଦରେ ମଧ୍ୟ କମ୍ ରାଶି ମିଳିବ।
ଭାଲଚନ୍ଦ୍ର ଷଡ଼ଙ୍ଗୀ
ମୋ : ୯୪୩୭୧୬୬୩୯୧