ପେଣ୍ଟାଗନ-ଭାରତୀୟ ପ୍ରତିରକ୍ଷା ବିଭାଗ ସମ୍ପର୍କ ସୁଦୃଢ଼…

ଓ୍ବାଶିଂଟନ, ୧୬।୮ : ଭାରତ ଏବଂ ଆମେରିକା ମଧ୍ୟରେ ସାମରିକ ସମ୍ପର୍କ ସୁଦୃଢ଼ ହେବାରେ ଲାଗିଛି। ଏହାର କାରଣ ହେଉଛି ଯେ ବର୍ତ୍ତମାନ ଆମେରିକାର ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନରେ ଭାରତୀୟ ପ୍ରତିରକ୍ଷା ଅଧିକାରୀ ଅଣସଂରକ୍ଷିତ ପ୍ରବେଶ ସୁବିଧା ଯୋଗାଇ ଦିଆଯାଇଛି। ଆମେରିକାର ପ୍ରତିରକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଭାରତୀୟ ପ୍ରତିରକ୍ଷା ବିଭାଗ ବର୍ତ୍ତମାନ ପେଣ୍ଟାଗନକୁ ସହଜରେ ପ୍ରବେଶ କରି ପାରିବେ। ସୋମବାର ଆମେରିକାର ଇଣ୍ଡିଆ ହାଉସରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ତାରଞ୍ଜିତ ସିଂ ସାନ୍ଧୁଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆମେରିକାର ବାୟୁସେନା ସଚିବ ଫ୍ରାଙ୍କ କେଣ୍ଡଲର ଏହି ଘୋଷଣା କରିଛନ୍ତି।

କେଣ୍ଡଲ କହିଛନ୍ତି ଯେ ବିଶ୍ୱାସ ଏବଂ ସହଯୋଗରେ ଏଭଳି ପଦକ୍ଷେପ ନିଆଯାଇଛି। ଭାରତ ସହିତ ଆମର ସମ୍ପର୍କ ବିଶ୍ୱାସ ଏବଂ ସହଯୋଗର ଏକ ଉଦାହରଣ। କେଣ୍ଡଲ କହିଛନ୍ତି ଯେ ଏଣିକି ଭାରତୀୟ ପ୍ରତିରକ୍ଷା ଦଳ ପେଣ୍ଟାଗନରେ ସୁରକ୍ଷା ବିନା ଚଳପ୍ରଚଳ କରିପାରିବ। ଭାରତ ସହ ଆମର ଘନିଷ୍ଠ ସମ୍ପର୍କ ଯୋଗୁ ଏବଂ ଭାରତ ଆମର ପ୍ରମୁଖ ପ୍ରତିରକ୍ଷା ସହଯୋଗୀ ହୋଇଥିବାରୁ ଏହି ପଦକ୍ଷେପ ନିଆଯାଇଛି।

ସେ କହିଛନ୍ତି, ଯଦି ଆପଣ ଭାବୁଥିବେ ସୁରକ୍ଷା ଯାଞ୍ଚ ବିନା ପେଣ୍ଟାଗନ ଯିବା ବଡ କଥା ନୁହେଁ, ତେବେ ଆପଣ ଜାଣି ରଖନ୍ତୁ ଯେ ମୁଁ ମଧ୍ୟ ଏସକର୍ଟ ବିନା ସେଠାକୁ ଯାଇପାରିବି ନାହିଁ। ଆମେରିକାର ପ୍ରତିରକ୍ଷା ବିଭାଗର ମୁଖ୍ୟାଳୟ ପେଣ୍ଟାଗନ, ପୃଥିବୀର ସବୁଠାରୁ ସୁଦୃଢ଼ ସୁରକ୍ଷା ସ୍ଥାନ ହୋଇଥିବାରୁ ଏହା ମଧ୍ୟରେ ପ୍ରବେଶ କରିବା କଷ୍ଟକର। ଏପରିକି ଆମେରିକାର ନାଗରିକମାନେ ମଧ୍ୟ ଉଚ୍ଚ ସ୍ତରର ସୁରକ୍ଷା ମଞ୍ଜୁର ବିନା ବିଲ୍ଡିଂକୁ ପ୍ରବେଶ କରିପାରିବେ ନାହିଁ।

ଆମେରିକାର ପ୍ରତିରକ୍ଷା ଅଧିକାରୀ କେଣ୍ଡଲ କହିଛନ୍ତି, ଭାରତ ସହିତ ଆମେ ଅନ୍ୟ ଦେଶ ତୁଳନାରେ ଅଧିକ ମିଳିତ ସାମରିକ ଅଭ୍ୟାସ କରୁଛୁ। ଦୀର୍ଘ ସମୟ ଧରି ଆମର ଘନିଷ୍ଠ ସମ୍ପର୍କ ଅଛି। ଆମେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାକୁ ଚେଷ୍ଟା କରୁଛୁ।

କେଣ୍ଡଲ କହିଛନ୍ତି ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ସହଯୋଗୀତା ବର୍ଷ ବର୍ଷ ଧରି ଚାଲିଆସୁଛି । ସମ୍ପ୍ରତି, ଅର୍ଥାତ୍‌ ଏକ ବର୍ଷ ପୂର୍ବେ, ଆମେ ଡ୍ରୋନ ତିଆରିରେ ସହଯୋଗର ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛୁ। ଆମେ ଟେକ୍ନୋଲୋଜି ଆଦାନପ୍ରଦାନ କ୍ଷେତ୍ରରେ ଦୀର୍ଘ ସମୟ ଧରି ଅନେକ କାର୍ଯ୍ୟକ୍ରମ ଚଳାଉଛୁ। ଏହି ପଦକ୍ଷେପ ଅଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସେ କହିଛନ୍ତି।

Share