ଆଣବିକ ଆକ୍ରମଣ କଲେ ପେଣ୍ଟାଗନ ଦେବ ଜବାବ: ପୁଟିନଙ୍କୁ ବାଇଡେନଙ୍କ ଚେତାବନୀ…

ଓ୍ବାଶିଂଟନ,୧୨।୧୦ : ପାଖାପାଖି ୮ ମାସ ଧରି ଚାଲିଥିବା ରୁଷିଆ-ୟୁକ୍ରେନ ଯୁଦ୍ଧରେ ଆଣବିକ ଅସ୍ତ୍ରଶସ୍ତ୍ରର ବ୍ୟବହାର ନେଇ ଆଶଙ୍କା ବୃଦ୍ଧି ପାଉଛି। ରୁଷିଆର ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନଙ୍କ ଦ୍ୱାରା ଆଣବିକ ଆକ୍ରମଣର ଭୟ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ ଚେତାବନୀ ଦେଇଛନ୍ତି ଯଦି ରୁଷିଆ ଆଣବିକ ଆକ୍ରମଣ ଆରମ୍ଭ କରେ ତେବେ ପେଣ୍ଟାଗନ ଚୁପ୍‌ ହୋଇ ବସିବ ନାହିଁ। ପେଣ୍ଟାଗନ ଏହାର ଠିକଣା ଜବାବ ଦେବ। ପେଣ୍ଟାଗନ ଜବାବ ପାଇଁ ତାଙ୍କୁ ଉତ୍ତର ମାଗିବାର ଆବଶ୍ୟକତା ନାହିଁ ବୋଲି ବାଇଡେନ ସ୍ପଷ୍ଟ କରିଛନ୍ତି।

ବାଇଡେନ କହିଛନ୍ତି ଯେ ରୁଷିଆ ପାଇଁ ଆମେରିକାର ଉତ୍ତର ପ୍ରସ୍ତୁତ ଅଛି। ଯଦି ପୁଟିନ ୟୁକ୍ରେନରେ ଆଣବିକ ଅସ୍ତ୍ର ବ୍ୟବହାର କରନ୍ତି, ତେବେ ଆମେରିକା ଏହାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି। ସିଏନଏନ ସହିତ ହୋଇଥିବା ଏକ ଆଲୋଚନାରେ ବାଇଡେନ କହିଛନ୍ତି ଯେ ଯୁଦ୍ଧର ସମସ୍ତ ସମ୍ଭାବ୍ୟ ପରିସ୍ଥିତି ଉପରେ ନଜର ରଖାଯାଇଛି ଏବଂ ପ୍ରସ୍ତୁତି ହୋଇଛି। ଏଥିରେ ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାରରୁ ଉତ୍ପନ୍ନ ପରିସ୍ଥିତି ମଧ୍ୟ ଅନ୍ତର୍ଭୁକ୍ତ ।

ଯେତେବେଳେ ପଚରାଗଲା ୟୁକ୍ରେନରେ ଆମେରିକା ଏବଂ ନାଟୋ ପାଇଁ ରେଡ ଲାଇନ କ’ଣ? ଯଦି ପୁଟିନ ୟୁକ୍ରେନ ଉପରେ ପରମାଣୁ ବୋମା ପକାନ୍ତି କିମ୍ବା ଆଣବିକ ଅସ୍ତ୍ର ନିୟୋଜିତ କରନ୍ତି ତେବେ ୱାଶିଂଟନ କ’ଣ କରିବ? ଏହାର ଉତ୍ତରରେ ବାଇଡେନ କହିଛନ୍ତି ଯେ ଆମେ କଣ କରିବୁ ଏବଂ କରିବୁ ନାହିଁ ତାହା କହିବା ଦାୟିତ୍ୱହୀନ ହେବ।

Share