Advertisement

ଭାରତୀ ପାହାଡ଼ ଚଢ଼ିଲେ ମାନସିକଧାରୀ

ଭୁବନ, ୧୫।୧(ଡି.ଏନ୍‌.ଏ.):  ପ୍ରସିଦ୍ଧ ମକର ମେଳା ପାଇଁ ଉତ୍ସବମୁଖର ହୋଇଉଠିଛି ଭୁବନର ସିଦ୍ଧ ରାମଚଣ୍ଡୀ ପୀଠ। ୧୦ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମରେ ପୀଠ ଲୋକାରଣ୍ୟ ହୋଇପଡ଼ିଥିବାବେଳେ ମାନସିକଧାରୀ ଭାରତୀ ପାହାଡ଼ ଚଢ଼ିଥିଲେ।
ମକର ସଂକ୍ରାନ୍ତି ଉପଲକ୍ଷେ ମା’ଙ୍କ ପୀଠରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ସକାଳୁ ସକାଳୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଆରମ୍ଭ ହୋଇଥିଲା। ଭୁବନ ସମେତ ଜିଲାର ବିଭିନ୍ନ ସ୍ଥାନରୁ ମାନସିକଧାରୀମାନେ ମା’ଙ୍କ ଆଶୀର୍ବାଦ ନେବାକୁ ଭିଡ଼ ଜମାଇଥିଲେ। ଦର୍ଶନ ପରେ ମାନସିକ ପୂରଣ ପାଇଁ ପ୍ରଚଳିତ ବିଶ୍ୱାସ ଅନୁଯାୟୀ ଭାରତୀ ପାହାଡ଼ ଚଢ଼ିଥିଲେ। ମୁଖ୍ୟ ପୁରୋଧା କୈଳାସ ଚନ୍ଦ୍ର ମିଶ୍ର ମା’ ଚଣ୍ଡୀଙ୍କ ପୂଜାର୍ଚ୍ଚନା କରିଥିବାବେଳେ ପରିଚାଳନା କମିଟି ସଭାପତି ବିଦ୍ୟାଧର ପାତ୍ର, ଉପସଭାପତି ବୀରବର ପୃଷ୍ଟି, ସମ୍ପାଦକ ବିଶ୍ୱନାଥ ସାହୁ, କୋଷାଧ୍ୟକ୍ଷ ସନାତନ ମହାରଣା, ବରିଷ୍ଠ କର୍ମକର୍ତ୍ତା ବୃନ୍ଦାବନ ପୃଷ୍ଟି, ଦାମୋଦର ସାହୁ, ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ। ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ୭ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ମେଳା ପାଇଁ ବହୁ ଉଠାଦୋକାନୀଙ୍କ ଭିଡ଼ ଜମିଛି। ପାଗ ଅନୁକୂଳ ଥିବାରୁ ଆଗାମୀ ଦିନରେ ବିପୁଳ ଜନ ସମାଗମ ହେବାର ସମ୍ଭାବନା ରହିଛି।
ସେହିପରି ବୁଦ୍ଧେଶ୍ୱର ଶୈବପୀଠ, ବାଟ ତାରିଣୀ ପୀଠ, ମଠକରଗୋଳା ପଞ୍ଚାୟତ ମଉଳା-ଭଣଜା ପାହାଡ଼, ଅନଳ, ମଝିପାଳରେ ମଧ୍ୟ ମହାଆଡ଼ମ୍ବରରେ ମକର ମେଳା ଅନୁଷ୍ଠିତ ହୋଇଛି। ଏହି ଉପଲକ୍ଷେ ବିଭିନ୍ନ ସ୍ଥାନରେ ଟୁସୁ ଯାତ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share