ଭୁବନେଶ୍ୱର,୧୮।୮(ବ୍ୟୁରୋ) : ଏବେ ଓଡ଼ିଶାର ଉତ୍ତର ଓ ଉପକୂଳ ଜିଲାଗୁଡିକରେ ବନ୍ୟା ବିତ୍ପାତ ଦେଖାଦେଇଛି। ବହୁ ଗାଁ ପାଣି ଘେରରେ ଥିବାବେଳେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। ବିପନ୍ନ ମଣିଷ ଓ ଗୃହପାଳିତ ପ୍ରାଣୀଙ୍କ ପାଇଁ ଖାଦ୍ୟ ଓ ପାନୀୟ ସମସ୍ୟା ସୃଷ୍ଟି ହୋଇଥିବାବେଳେ ସାପ କାମୁଡ଼ିବା ଆଶଙ୍କା ରହିଛି। ଅନ୍ଧାର ହେବା ମାତ୍ରେ ସାପ ଭୟ ଘାରୁଛି। ପାଣି ଭିତରେ, ଘରେ, ବାହାରେ ସବୁଠି ସାପ ପ୍ରତି ଲୋକେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ସାପ କାମୁଡ଼ା ରୋଗୀଙ୍କୁ ତୁରନ୍ତ ଡାକ୍ତରଖାନାରେ ପହଞ୍ଚାଇ ଚିକିତ୍ସା ଓ ସହାୟତା ଯୋଗାଇ ଦେବା ଜରୁରୀ ହୋଇପଡିଛି।
ସାଧାରଣତଃ ବନ୍ୟା ସମୟରେ ପାଣି ସାଙ୍ଗକୁ କାଳ ସାଜିଥାନ୍ତି ସାପ। ସାପମାନେ ସମୂହ ବିସ୍ଥାପିତ ହୋଇଥାନ୍ତି। ବନ୍ୟା ଜଳରେ ଭାସି ଭାସି ଏକ ଅଜଣା ସ୍ଥାନକୁ ଚାଲି ଯାଇଥାନ୍ତି। ତେଣୁ ଖାଦ୍ୟ ସଂଗ୍ରହ ପାଇଁ ସାପମାନଙ୍କୁ ଏଣେତେଣେ ବୁଲିବାକୁ ହୋଇଥାଏ। ଫଳରେ ସାପଙ୍କ ସହିତ ଅଧିକାଂଶ ସମୟରେ ମଣିଷଙ୍କ ମୁହାଁମୁହିଁ ବା ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ଉପୁଜିଥାଏ। ଅନେକ ସମୟରେ ପାଣି ଘେରରୁ ଯେଉଁ ଢିପ ସ୍ଥାନକୁ ବା ନଦୀ ବନ୍ଧକୁ ମଣିଷମାନେ ଆଶ୍ରୟ ସ୍ଥଳ ଭାବରେ ବ୍ୟବହାର କରିଥାନ୍ତି, ସେହି ସ୍ଥାନକୁ ସାପମାନେ ସମାନ କାରଣ ପାଇଁ ଯାଇଥାନ୍ତି।
ଗାଁ, ଗହୀର ବା ସହର ତଳି ଅଞ୍ଚଳରେ ପାଣି ପଶିବା ଦ୍ୱାରା ସାପମାନେ ଜୀବନ ବଞ୍ଚାଇବା ପାଇଁ ଜନବସତି ଆଡ଼କୁ ଉଠି ଆସନ୍ତି। ଫଳରେ ସେଠାରେ ସାପମାନଙ୍କର ପ୍ରାଦୁର୍ଭାବ ମଧ୍ୟ ବଢ଼ି ଯାଇଥାଏ। ଏପଟେ ରାସ୍ତାରେ ବନ୍ୟା ପାଣି ଚାଲିବା, ଘାଇ ବା ଅନ୍ୟ କୌଣସି କାରଣରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥାଏ। କାହାକୁ ସାପ କାମୁଡିଲେ, ତୁରନ୍ତ ହସ୍ପିଟାଲ ନେବା ସମ୍ଭବ ହୋଇ ନ ଥାଏ। ଫଳରେ ରୋଗୀର ମୃତ୍ୟୁ ହେବାର ଆଶଙ୍କା ଅଧିକ ରୁହେ।
ଅନ୍ୟଏକ ଗୁରୁତର ସମସ୍ୟା ହେଲା, ସାପ କାମୁଡାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ କ୍ଷତିପୂରଣ ଦିଆଯାଇଥାଏ। ମାତ୍ର ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ତରଫରୁ ୨୦୧୫ ଜୁନ ୧ରେ ଜାରି ନିର୍ଦ୍ଦେଶନାମା ଅନୁସାରେ, ମାତ୍ର ବନ୍ୟା ପ୍ଳାବିତ ଅଞ୍ଚଳ ବା ବନ୍ୟାବେଳେ ସାପ କାମୁଡାରେ ମୃତ୍ୟୁ ଘଟିଲେ ଏହି ସହାୟତା ମିଳି ନ ଥାଏ। ସେହିପରି ଅନୁକମ୍ପାମୂଳକ କ୍ଷତିପୂରଣ ପାଇଁ ବ୍ୟବଚ୍ଛେଦ ରିପୋର୍ଟ ବାଧ୍ୟତାମୂଳକ। କିନ୍ତୁ ବନ୍ୟା ପ୍ଳାବିତ ଅଞ୍ଚଳରେ ସାପ କାମୁଡାରେ ମୃତ୍ୟୁ ହେଲେ ପରିବାର ଲୋକେ ଡାକ୍ତରଖାନା ନେଇ ବ୍ୟବଚ୍ଛେଦ କରାଇବା ସମ୍ଭବପର ହୋଇ ନ ଥାଏ। ଏନେଇ ସ୍ନେକ ହେଲ୍ପ ଲାଇନ୍ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ସରକାର ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବା ପାଇଁ ଆଉଟିକେ ଅନୁକମ୍ପା ଦେଖାଇବା ଉଚିତ। କାରଣ ବନ୍ୟା ପାଇଁ ବା ସାପ କାମୁଡା ପାଇଁ ମୃତ ବ୍ୟକ୍ତିଜଣକ ଦାୟୀ ନୁହନ୍ତି। ତାହା ପ୍ରାକୃତିକ ଥିଲା। ତେଣୁ ସରକାର ରିଲିଫ କୋଡ୍ରେ ଆବଶ୍ୟକ ସଂଶୋଧନ କରି ବନ୍ୟା ସମୟରେ ଘଟୁଥିବା ସର୍ପାଘାତ ମୃତ୍ୟୁ କ୍ଷେତ୍ରରେ ସମାନ ଅନୁକମ୍ପା ରାଶି ଦେବା ପାଇଁ କେନ୍ଦ୍ରକୁ ଲେଖିବା ଉଚିତ।
ସତର୍କତା ଉପରେ ଗୁରୁତ୍ୱ ଦେଇ ଶୁଭେନ୍ଦୁ କୁହନ୍ତି, ବନ୍ୟା ପ୍ଳାବିତ ଜଳବନ୍ଦୀ ଅଞ୍ଚଳରେ ଘରକୁ ସାପ ନ ପଶିବା ପାଇଁ ଉପାୟ କିଛି ନାହିଁ। ଫିନାଇଲ, ବ୍ଲିଚିଂ ପାଉଡର ବା ଏସିଡ୍ ଆଦି କେମିକାଲ ପାଣିରେ କିଛି କାମ କରେନାହିଁ। ତେବେ ଘରକୁ ସୁରକ୍ଷା ଦେବା ପାଇଁ ନିହାତି ଆବଶ୍ୟକ ହେଲେ, ମାଛ ଜାଲ ବ୍ୟବହାର କରାଯାଇପାରିବ। ଜାଲ ଘେରେଇଦେଲେ ସାପମାନେ ଯିବାବେଳେ ଜାଲରେ ଛନ୍ଦି ହୋଇ ଆଉ ଘରକୁ ଯାଇ ପାରିବେ ନାହିଁ। ସେହିପରି ବାଡି ବଗିଚା ସଫା ରଖନ୍ତୁ। ସାପ ଯଦି ବା ପାଣିରୁ ଉଠି ଆସିବେ, ଲୁଚିବା ପାଇଁ ଯାଗା ନ ପାଇଲେ ପୁଣି ଫେରିଯିବେ। ସହରାଞ୍ଚଳରେ ମଧ୍ୟ ଜାଲ ବ୍ୟବହାର କଲେ ସୁଫଳ ମିଳିବ। ଜାଲରେ ଯଦି ସାପଟିଏ ଫସିଯାଏ, ତେବେ ପ୍ରଶିକ୍ଷିତ ସାପ ଉଦ୍ଧାରକାରୀଙ୍କ ସାହାଯ୍ୟ ନିଅନ୍ତୁ।
ଏ ନେଇ ଭୁବନେଶ୍ୱର ଏମ୍ସ ଫୋରେନସିକ ମେଡିସିନ୍ ଓ ଟକ୍ସିକୋଲୋଜି ବିଭାଗର ଅତିରିକ୍ତ ପ୍ରାଧ୍ୟାପକ ଡା. ସୁଦୀପ୍ତ ରଞ୍ଜନ ସିଂହ କହିଛନ୍ତି, ବନ୍ୟା ସମୟରେ ଯଥାସମ୍ଭବ ସାପଙ୍କଠାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ। ପାଣିରେ ନିହାତି ଯିବାକୁ ହେଲେ, ବାଡ଼ି ଧରି ଯାଆନ୍ତୁ। ଦଳ କିମ୍ବା ଆବର୍ଜନାକୁ ହାତରେ ନ କାଢ଼ି ବାଡ଼ିରେ କାଢନ୍ତୁ। ବିଷଧର ସାପ କାମୁଡି ଦେଲେ, ଘାଇ ବା ପାଣି ଭିତରେ ପହଁରି ଅତିକ୍ରମ କରନ୍ତୁ ନାହିଁ। ପହଁରିଲେ ଦେହରେ ରକ୍ତ ସଞ୍ଚାଳନ ବଢ଼ିଥାଏ, ବିଷ ମଧ୍ୟ ଶୀଘ୍ର ସଞ୍ଚରିଯାଏ। ଆକ୍ରାନ୍ତ ଲୋକଙ୍କୁ ଭେଳା ବା ଡଙ୍ଗା ଜରିଆରେ ପାଣି ପାର କରାନ୍ତୁ। ନିକଟରେ ଥିବା ଓଡ୍ରାଫ ବା ଅଗ୍ନିଶମ ବାହିନୀ ଯବାନଙ୍କ ସହାୟତା ନେଇପାରିବେ ବୋଲି ଡା. ସିଂହ କହିଛନ୍ତି।