ସ୍ବାବ୍‌ ଟେଷ୍ଟ ପାଇଁ ଡରୁଛନ୍ତି ଲୋକେ୍‌

ସିମୁଳିଆ,୧୧।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ଲକର ସଦର ମହକୁମା ମାର୍କୋଣା ପଞ୍ଚାୟତର ୬ନଂ. ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍‌ ରୂପେ ଘୋଷଣା କରାଯାଇ ରାସ୍ତା ସିଲ୍‌ କରାଯାଇଛି। ସେହିପରି ୧ରୁ ୫ନଂ. ଓ ୧୧ନଂ. ୱାର୍ଡ ଇନାୟତପୁରକୁ ବଫର ଜୋନ ରୂପେ ଘୋଷଣା କରାଯାଇ ବରିରୋଡ଼କୁ ସିଲ୍‌ କରାଯାଇଛି ା ଗୁରୁବାର ସନ୍ଧ୍ୟା ୭ଟାରୁ ଆସନ୍ତା ୭ଦିନ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ କଟକଣା ଲାଗି ରହିବ ବୋଲି ସୂଚନା ଦିଆଯାଇଛି। ତହସିଲଦାର ରବିନାରାୟଣ ସାହୁଙ୍କ ସମେତ ବିଡିଓ ଡ. ନରହରି ବେହେରା, ଥାନା ଅଧିକାରୀ ପର୍ଶୁରାମ ସାହୁ ଓ ସ୍ଥାନୀୟ ସରପଞ୍ଚ ପ୍ରଦୀପ କୁମାର ବେହେରାଙ୍କ ଦ୍ୱାରା ଅନୁଷ୍ଠିତ ସଭାରେ ଏହା ଘୋଷଣା କରାଯାଇଛି। ଶୁକ୍ରବାର ମଧ୍ୟାହ୍ନରେ ଏହି ଅଞ୍ଚଳର ଶହେ ଜଣଙ୍କ ସ୍ବାବ ଟେଷ୍ଟ ପାଇଁ ନାମ ଦିଆଯାଇଥିବା ବେଳେ ୬୪ଜଣ ନିଜର ସ୍ବାବ ଟେଷ୍ଟ କରାଇଛନ୍ତି। ପ୍ରକୃତପକ୍ଷେ ଲୋକେ ସ୍ବାବ ଟେଷ୍ଟ କରିବାକୁ ଭୟ କରୁଛନ୍ତି।
ସିମୁଳିଆ ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ରେ ପହଞ୍ଚତ୍ଛି। ନିକଟରେ ବେଙ୍ଗାଲୁରୁରୁ ଫେରିଥିବା ଜଣେ ୩୪ବର୍ଷୀୟ ଯୁବକ କ୍ୱାରାଣ୍ଟାଇନ ସେଣ୍ଟରରେ ନ ରହି ହୋମ କ୍ୱାରାଣ୍ଟାଇନରେ ରହିବା ଆଳରେ ଘରକୁ ଚାଲିଆସିଥିଲେ। ପରେ ଘରେ ନ ରହି ସେ ବିଭିନ୍ନ ଅଞ୍ଚଳରେ ବୁଲାବୁଲି କରିବା ପରେ ତାଙ୍କ ନିକଟରେ କରୋନା ଲକ୍ଷଣ ଦେଖାଦେଇଥିଲା। ସ୍ବାବ ନମୁନା ପରୀକ୍ଷା ପରେ ତାଙ୍କଠାରେ କରୋନା ପଜିଟିଭ ବାହାରିଥିଲା। ଏହାପରେ ଗତ ୬ତାରିଖରେ ୪୩ ଜଣଙ୍କ ସ୍ବାବ ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫ଜଣଙ୍କଠାରେ କରୋନା ପଜିଟିଭ ଥିବା ଜଣାପଡିଥିଲା। ତେବେ ପ୍ରବାସୀ ଫେରନ୍ତାମାନେ ସାମାଜିକ ଦୂରତା ରକ୍ଷା କରୁ ନ ଥିବାର ଅଭିଯୋଗ ହୋଇଛି।